ଖୋର୍ଦ୍ଧା: ଏକାଧିକ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୪ କୁଖ୍ୟାତ ଡକାୟତ ଗିରଫ

Published: Apr 11, 2022, 10:23 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଏବଂ ବାଘମାରି ଥାନା ଅଞ୍ଚଳରେ ଏକାଧିକ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଚଳିତ ମାସ ୩ ତାରିଖ ବିଳମ୍ବିତ ରାତ୍ରିରେ ୫୭ ନମ୍ବର ଜାତୀୟ ରାଜପଥ ବାଘମାରି ବଜାର ନିକଟରୁ ଏକ ମାଲ ବୋଝେଇ ଟାଟା ଏସିଇ ଗାଡ଼ିକୁ ଦୁର୍ବୁତ୍ତମାନେ ଲୁଟି ନେଇଥିଲେ, ଯେଉଁଥିରେ ୩୦ ଲକ୍ଷ ଟଙ୍କାର ଜିନିଷ ଥିଲା। ଏ ନେଇ ବାଘମାରି ପୋଲିସ କେଶ ନମ୍ବର ୩୭/୨୨ ରେ ମାମଲା ରୁଜୁ କରିଥିଲା।

ସେହିପରି ଭାବେ ଉକ୍ତଦିନ ରାତିରେ ଦୁର୍ବୁତ୍ତ ମାନେ ପିଏନ କଲେଜ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ୫୦୦ ଟଙ୍କା ଲୁଟିନେଇଥିଲେ। ଏ ନେଇ ଟାଉନ ଥାନା ପୋଲିସ କେଶ ନମ୍ବର ୧୭୭/୨୨ ରେ ମାମଲା ରୁଜୁ କରିଥିଲା।

ସେହିପରି ଭାବେ ୭ ତାରିଖ ରାତିରେ ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକ ନିକଟରେ ଦୁର୍ବୁତ୍ତ ମାନେ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଗୋଦାମରୁ ଲକ ଭାଙ୍ଗି ଏକ ମେହେନ୍ଦ୍ରା ପିକ ଅପ ଭ୍ୟାନ ଚୋରି କରିନେଇଯାଇଥିଲେ। ଏ ବାବଦରେ ଟାଉନ ଥାନା ପୋଲିସ କେଶ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରିଥିଲା।

ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଥିଲେ ଏବଂ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଉକ୍ତ ସମସ୍ତ ଲୁଟରେ ସାମିଲ ଥିବା ୪ ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅଞ୍ଚଳର ପ୍ରଫୁଲ୍ଲ କୁମାର ନାୟକ (୫୦), ଦେବାଶିଷ ସ୍ୱାଇଁ (୨୫), ସନ୍ତୋଷ କୁମାର ରାଉତରାୟ(୪୨) ଏବଂ ବାଙ୍କୀ ଥାନା ଅଞ୍ଚଳର ବିଶ୍ୱଜିତ ପରିଡ଼ା (୨୮)। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଟାଟା ଏସିଇ ଗାଡ଼ି, ଗୋଟିଏ ଏକସେଣ୍ଟ କାର, ଗୋଟିଏ ମହେନ୍ଦ୍ରା ପିକଅପ ଭ୍ୟାନ, ଗୋଟିଏ ସ୍କୋର୍ପିଓ ଗାଡ଼ି, ୩୦ ଲକ୍ଷ ଟଙ୍କାର ଏଲଇଡ଼ି, ଲାପଟପ, ସାଉଣ୍ଡ ବକ୍ସ ଓ ଅନ୍ୟାୟ ବୈଦ୍ୟୁତିକ ଉପକରଣ ଏବଂ ନକଦ ୫ ହଜାର ଟଙ୍କା ଜବତ କରିଛି।

ତେବେ ଗିରଫ ୪ ଜଣଙ୍କ ମଧ୍ୟରୁ ପ୍ରଫୁଲ୍ଲ, ଦେବାଶିଷ ଓ ବିଶ୍ୱଜିତଙ୍କ ବିରୋଧରେ ପୁର୍ବରୁ ଟାଉନ ଥାନାରେ ଏକାଧିକ ମାମଲା ଥିବାର ପୋଲିସ କହିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଏସଡିପିଓଙ୍କ ସମେତ ବାଘମାରି ଆଇଆଇସି ଅର୍ଚ୍ଚନା ମଲ୍ଲିକ, ଏସଆଇ ରଶ୍ମିରଞ୍ଜନ ଦାସ, ପଦ୍ମଲୋଚନ ବେହରା, ବ୍ରହ୍ମାନନ୍ଦ ସ୍ୱାଇଁ, ସୁକାନ୍ତ କୁମାର ଦଳେଇ ଓ ଖୋର୍ଦ୍ଧା ସ୍ୱତନ୍ତ୍ର ସ୍କ୍ୱାର୍ଡ ସାମିଲ ଥିଲେ।

Related posts