ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ, ଦୁଇ ଯବାନ ସହିଦ

Published: Apr 14, 2022, 9:48 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୋପିଆନର ବଡଗାମର ଜୈନପୁରା ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା। ଏହି ସୂଚନା ପରେ ସୁରକ୍ଷା ବାହିନୀ ଅବରୋଧ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ଏହି ଏନକାଉଣ୍ଟର ସହ ଜଡିତ ଅନ୍ୟ ଏକ ଘଟଣାରେ ଦୁଇଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ସୂଚନା ସାମ୍ନାକୁ ଆସୁଛି।

ଅଧିକାରୀମାନେ କହିଛନ୍ତି ଯେ ୪୪ ଆରଆର ଚୌଗାମ କ୍ୟାମ୍ପରୁ ସୈନିକମାନଙ୍କୁ ନେଇ ଏକ ସୁମୋ ବୁଡିଗାମର ଏନକାଉଣ୍ଟର ସ୍ଥାନକୁ ଯାଉଥିଲା। ଯେତେବେଳେ ଡ୍ରାଇଭର ଗାଡିର ନିୟନ୍ତ୍ରଣ ହରାଇଲା ଏବଂ ଗାଡିଟି ରାସ୍ତାରୁ ଖସିଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଦୁଇଜଣ ଶହୀଦ ହୋଇଥିଲେ। ସେ କହିଛନ୍ତି ଯେ ଅନ୍ୟ ଦୁଇ ଆହତ ଯବାନଙ୍କୁ ଶ୍ରୀନଗରର ୯୨ ବେସ୍ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଯୋଗ୍ୟ ଯେ, ଏହି ସମୟରେ ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଖବର ସାମ୍ନାକୁ ଆସୁଛି। ସୁରକ୍ଷା ବାହିନୀ ବ୍ୟତୀତ ଆତଙ୍କବାଦୀମାନେ ଉପତ୍ୟକାର ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଏପ୍ରିଲ ୧୩ ତାରିଖ ବୁଧବାର ଦିନ ଆତଙ୍କବାଦୀମାନେ ସ୍ଥାନୀୟ ଡ୍ରାଇଭର ସତୀଶ କୁମାର ସିଂଙ୍କୁ ହତ୍ୟା କରିଥିଲେ।

Related posts