ଫାଇନାନ୍ସ କର୍ମଚାରୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟର ପର୍ଦ୍ଦାଫାଶ କଲା ନିରାକାରପୁର ପୋଲିସ, ତିନି ଗିରଫ

Published: May 8, 2022, 10:04 pm IST

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟର ପର୍ଦ୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଭାରତ ଫାଇନାନ୍ସ, ନିରାକାରପୁର ଶାଖାର କର୍ମଚାରୀ ଗୋପବନ୍ଧୁ ସାହୁଙ୍କ ଠାରୁ ଗତ ୫ ତାରିଖରେ ୩ ଜଣ ଦୁର୍ବୁତ୍ତ ତାଙ୍କ ଏଆର ବ୍ୟାଗରୁ ୧ ଲକ୍ଷ ୪ ହଜାର ୮୭୭ ଟଙ୍କା ଲୁଟିନେଇଲେ। ଏନେଇ ନିରାକାରପୁର ଥାନାରେ ଗୋପବନ୍ଧୁ ଅଭିଯୋଗ କରିଥିଲେ।

ଏହି ପରିପ୍ରେକ୍ଷୀରେ ପୋଲିସ କେଶ ନମ୍ବର ୮୯/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିଲା। ତେବେ ଆଜି ପୋଲିସ ଉକ୍ତ ଲୁଟ ଘଟଣାର ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ସକିଲ ସାହା ଏବଂ ପୁରି ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘରୋଡ଼ିଆ ଗ୍ରାମର ଇଲିଆସ ଖାନ ଏବଂ ରାବୁଦ୍ଦିନ ଖାନ।

ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନକଦ ୮୮ ହଜାର ଟଙ୍କା, ତିନି ଗୋଟି ବାଇକ ଏବଂ ଚାରି ଗୋଟି ମୋବାଇଲ ଫୋନ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବାର ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।

Related posts