
ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ନକଲି ସିମ କାର୍ଡ କାରବାର ଜୋରସୋରରେ ଚାଲିଥିବାର ଅଭିଯୋଗ ହେଉଛି। କେତେକ ଅସାଧୁ ଦୋକାନୀ ପୁର୍ବରୁ ସିମ କାର୍ଡ ଗୁଡିକୁ ଆକ୍ଟିଭେଟ କରି ରଖୁଥିବାର ଅଭିଯୋଗ ହେଉଛି। ଯାହଦ୍ୱାରା ନିରୀହ ନାଗରିକମାନେ ଅକଳରେ ପଡୁଛନ୍ତି।
ଅଜାଣତରେ ଠକାମି ତଥା ସାଇବର ଅପରାଧ ଜାଲରେ ସାଧାରଣ ନାଗରିକ ଫସି ଯାଉଛନ୍ତି। ଯଦି ଜଣେ ଗ୍ରାହକ ସିମ ନେବାକୁ ରିଟେଲର ପାଖକୁ ଯାଉଛି ତେବେ କେତେକ ଦୋକାନୀ ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ପରିଚୟପତ୍ରର ନକଲ ରଖି ଏବଂ ଟିପ ଚି଼ହ୍ନ ନେଇ ଏକାଧିକ ସିମ ତାଙ୍କ ନାମରେ ଆକ୍ଟିଭେଟ କରୁଥିବାର ଅଭିଯୋଗ ହେଉଛି। ଏବଂ ପରବର୍ତ୍ତୀ ସମୟରେ ଉକ୍ତ ସିମ ଗୁଡିକୁ ବେଆଇନ କାର୍ଯ୍ୟରେ ବିନିଯୋଗ କରୁଥିବାର ଅଭିଯୋଗ ହେଉଛି।
ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ନକଲି ତଥା ପ୍ରିଆକ୍ଟିଭେଟ ସିମ ରଖୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ ହେବା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଠକ ଗିରଫ ହୋଇଛନ୍ତି। ତେବେ ଏହାର ଲିଙ୍କ ବାଣପୁରରେ ମଧ୍ୟ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ବାଣପୁରରେ ପୁର୍ବରୁ ମଧ୍ୟ ଏକାଧିକ ଥର ସିମ କାର୍ଡ ଜାଲିଆତି ହୋଇଛି। କିନ୍ତୁ ପୋଲିସ ପକ୍ଷରୁ ଏଯାବତ କୌଣସି ସିମ କାର୍ଡ ଦୋକାନ ଯାଞ୍ଚ ନହେବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ବାଣପୁର ପୋଲିସ ତଥା ବାଲୁଗାଁ ଏସଡିପିଓ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।