
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖବର ପ୍ରସାରଣ କରିବା ସାମ୍ବାଦିକଙ୍କୁ ମହଙ୍ଗା ପଡିଛି। ଅର୍ଗସ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରୁ ସାମ୍ବାଦିକ ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଅର୍ଗସ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।
ସୂଚନା ଅନୁଯାୟୀ, କୋଭିଡ୍ କଟକଣା ସମୟରେ ଟାଙ୍ଗୀ ଥାନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ ହେଉଥିଲା। ଏହାକୁ ନେଇ ସାମ୍ବାଦିକ ବିକ୍ରମ କେଶରୀ ସାହୁ ଖବର ପ୍ରସାରଣ କରିଥିଲେ। କିନ୍ତୁ ଆଜି ସମ୍ବାଦିକ ଜଣକ ଚିକିତ୍ସିତ ହେବା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଏହାର ସୁଯୋଗ ନେଇ ପୂର୍ବରୁ ରାଗ ରଖିଥିବା କିଛି ଯୁବକ ସାମ୍ବାଦିକ ବିକ୍ରମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।
ଖବର ପାଇ ମେଡିକାଲରେ ପୋଲିସ୍ ଟିମ୍ ପହଂଚିଥିଲା। ପୋଲିସ ସେଠାରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କଲେଜ ଅଧ୍ୟାପକ ଥିବା ବେଳେ ଜଣେ ସ୍କୁଲ ଶିକ୍ଷକ ହୋଇଥିବା ଜଣାପଡିଛି। ସେମାନଙ୍କ ବିରୋଧରେ କେସ ନଂ ୨୩୫/୨୨ ରେ ମାମଲା ରୁଜ୍ଜୁ କରି ଟାଙ୍ଗୀ ପୋଲିସ ତଦନ୍ତ ଜାରି ରଖିଛି।