ଚୋରା ବାଇକ ରାକେଟର ପର୍ଦ୍ଦାଫାଶ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୪ ଗିରଫ, ୯ ଗାଡି ଜବତ

Published: Jun 1, 2022, 9:21 pm IST

ଖୋର୍ଦ୍ଧା: ଆଜି ଏକ ଚୋରା ବାଇକ ରାକେଟର ଖୋର୍ଦ୍ଧା ଟାଉନ ଥାନା ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

କୌଣସି ଏକ ସୂତ୍ରରୁ ଖୋର୍ଦ୍ଧା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଚୋରା ବାଇକ କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ତୁରନ୍ତ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ପୋଲିସ ଅଭିଯୁକ୍ତ ସର୍ବେଶ୍ୱର ବାରିକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟେ ଚୋରା ବାଇକ ଏବଂ ତାଙ୍କ ଘରୁ ୨ ଗୋଟି ଚୋରା ବାଇକ ଜବତ କରିଛି।  ସେହିପରି ଭାବେ ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇ ପୋଲିସ ଆଉ ୬ ଗୋଟି ଚୋରା ବାଇକ ଉଦ୍ଧାର କରିବା ସହ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ସୌଦାଗର ମହାରଣା, ସଞ୍ଜୟ ନାୟକ ଏବଂ ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି।

ଏହି ପରିପ୍ରେକ୍ଷୀରେ ଟାଉନ ଥାନା ପୋଲିସ କେଶ ନମ୍ବର ୨୩୯/୨୨ ରେ ମାମଲା ରୁଜୁ କରିବା ସହ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ଏଏସଆଇ ଅକ୍ଷୟ ସେଠି, ପିକେ ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Related posts