
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ନିକଟବର୍ତ୍ତୀ ଡୁଙ୍ଗୁରିମୁଣ୍ଡିଆ ଜଙ୍ଗଲ ମଧ୍ୟରେ ଅପମିଶ୍ରିତ ଡ଼ିଜେଲ କାରବାର ଚାଲିଥିବାର ଖବର ପାଇ ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପୋଲିସ ୧୨ ଶହ ଲିଟର ପିଡ଼ିଏସ କିରୋସିନ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ କଟକ ସହର ଅଞ୍ଚଳର ଟୁଲୁ ସେନାପତି ଓ ପଠାଣି ସେନାପତି।
ଅଭିଯୁକ୍ତ ମାନେ ଏକ ଗ୍ୟାଙ୍ଗ ଗଠନ କରି ବେଆଇନ ଭାବେ ପିଡ଼ିଏସ କିରୋସିନ ଲିଟର ପିଛା ୮୫ ଟଙ୍କା ଦେଇ କିଣୁଥିଲେ। ଏହାପରେ ବିଭିନ୍ନ ତେଲ କମ୍ପାନୀ ଟ୍ୟାଙ୍କର ଡ୍ରାଇଭରଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦେଇ ସେମାନଙ୍କ ଟାଙ୍କିରୁ ଡ଼ିଜେଲ କାଢ଼ିବା ସହ ସମ ପରିମାଣର କିରୋସିନ ମିଶାଇଦେଉଥିଲେ।
ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମାନେ ରାସାୟନିକ ଦ୍ରବ୍ୟ ଏବଂ ଗିୟର ଅଏଲ ପିଡ଼ିଏସ କିରୋସିନରେ ମିଶାଇ ନକଲି ଡ଼ିଜେଲ ତିଆରି କରୁଥିଲେ ଏବଂ ଚୋରି କରିଥିବା ଅସଲି ଡ଼ିଜେଲ ସହ ତାକୁ ମିଶାଇ ଅପମିଶ୍ରିତ ଡ଼ିଜେଲ ତିଆରି କରି ବିଭିନ୍ନ ଜେସିବି ଓ ଟ୍ରାକ୍ଟର ଡ୍ରାଇଭରଙ୍କୁ ବିକି ଲାଭବାନ ହେଉଥୁଲେ।
ତେବେ ଉକ୍ତ ଗ୍ୟାଙ୍ଗର ଆହୁରି ୬ ଜଣ ସଦସ୍ୟ ଫେରାର ଥିବାବେଳେ ଚାନ୍ଦପୁର ପୋଲିସ କେଶ ନମ୍ବର ୭୧/୨୨ ରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରିରଖିଛି।