
ସୀତାରାମ ଅଗ୍ରୱାଲ
ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କଲେଜ ରୋଡ଼ ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଜଣେ କର୍ମଚାରୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ସିନ୍ଦୁରିଆ ଗ୍ରାମର ତପନ କୁମାର ପଲାଇ (୨୧)। ସେ ନାଚୁଣିସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିଲେ।
ତେବେ କୌଣସି କାରଣବଶତଃ ଗତକାଲି ରାତିରେ ସେ ନିଜକୁ କବାଟ ଦେଇ ଘର ଭିତରେ ବନ୍ଦ କରିଦେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା। ଏବଂ ସେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।
ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଆଜି ସାଇଣ୍ଟିଫିକ ଟିମ ଆସିବା ପରେ ତଦନ୍ତ ଆରମ୍ଭ ହେବା ନେଇ ଜଣାପଡିଛି। ଏହି ସଂକ୍ରାନ୍ତରେ ବାଣପୁର ଥାନାରେ କେଶ ନମ୍ବର ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।