ସୁନା ଅଳଙ୍କାର ଚୋରି ଘଟଣାର ପର୍ଦାଫାଶ କଲା ମାହାଙ୍ଗା ପୋଲିସ, ଜଣେ ଗିରଫ

Published: Aug 3, 2022, 10:23 pm IST

କଟକ : କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ଏକ ଲୁଟ ଘଟଣାର ପର୍ଦାଫାଶ କରିଛି ପୋଲିସ । ସୂଚନା ମୁତାବକ ମାହାଙ୍ଗା ଥାନା ଝାଡ଼େଶ୍ୱରପୁର ଗ୍ରାମର ସୁକାନ୍ତ ଦାସ ଜୁଲାଇ ୨୫ ତାରିଖ ଦିନ ଘରେ ଅନୁପସ୍ଥିତ ଥିବା ବେଳେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଇଥିଲା । ଏ ନେଇ ସୁକାନ୍ତ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ କେଶ ନମ୍ବର ୧୯୧/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।

ଆଇଆଇସି ବିଜୟ ମଲ୍ଲିକ ଉକ୍ତ ଚୋରି ଘଟଣାକୁ ଗୁରୁତର ସହ ନେଇଥିଲେ ଏବଂ ପରିଶେଷରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ଝାଡ଼େଶ୍ୱରପୁର ଗ୍ରାମର ରାକେଶ କୁମାର ନାୟକ (୨୦) । ରାକେଶ ନିୟମିତ ଭାବେ ସୁକାନ୍ତ ଙ୍କ ଘରେ ଯିବା ଆସିବା କରୁଥିଲେ ଏବଂ ଉକ୍ତ ଦିନ ସୁକାନ୍ତଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ଘରୁ ସୁନା ଅଳଙ୍କାର ଚୋରି କରିନେଇଥିଲେ । ଏହାପରେ ସେ ଉକ୍ତ ଚୋରା ଅଳଙ୍କାରକୁ ଏକ ବ୍ୟାଙ୍କରେ ବନ୍ଧକ ରଖି ଏକ ବାଇକ କିଣିଥିଲେ । ପୋଲିସ ବ୍ୟାଙ୍କରୁ ଚୋରା ଅଳଙ୍କାର ସମେତ ବାଇକ ଜବତ କରିବା ସହ ଅଭିଯୁକ୍ତ ରାକେଶଙ୍କୁ କୋର୍ଟଚାଲାଣ କରିଛି ।

Related posts