୫୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ଜଣେ ଗିରଫ

Published: Aug 19, 2022, 11:00 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ବହୁ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଟାଉନ ଥାନା ଅନ୍ତର୍ଗତ ଅରାଙ୍ଗ ଗ୍ରାମର ଏକ ଘରେ ଗଞ୍ଜେଇ ବେପାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କଟାରିଆ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଅପରାହ୍ନରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଘରୁ ୫୦ କେଜି ୨୦୦ ଗ୍ରାମ ଗଞ୍ଜେଇ ସମେତ ଅଭିଯୁକ୍ତ ସଞ୍ଜୟ କୁମାର ଜେନାଙ୍କୁ ଗିରଫ କରିଛି ପୋଲିସ। ସଞ୍ଜୟ ଦୀର୍ଘଦିନ ହେବ ସୁରେଶଙ୍କ ଘରେ ଗଞ୍ଜେଇ ବେପାର ଜାରି ରଖିଥିଲେ ଏବଂ ସୁରେଶଙ୍କୁ ଏଥି ନିମନ୍ତେ ମୋଟା ଅଙ୍କର ଅର୍ଥ ଦେଉଥିଲେ।

ତେବେ ସୁରେଶ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଙ୍କୁ ଗିରଫ କରିଛି ପୋଲିସ। ସଞ୍ଜୟଙ୍କ ଘର ଗୁରୁଜଙ୍ଗ ଟାଙ୍ଗୀସାହି ହୋଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଟାଉନ ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୩୯୨/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଏସଆଇ ସୁନିତା ବେହେରା,ଏସଆଇ ସୁକାନ୍ତ ଦଳାଇ,ଏସଆଇ ସସ୍ମିତା ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଉକ୍ତ କେସର ତଦନ୍ତକାରି ଅଧିକାରୀ ହେଉଛନ୍ତି ଅତିରିକ୍ତ ଆଇଆଇସି କାନ୍ହୁ ଚରଣ ସ୍ୱାଇଁ।

Related posts