ଦ୍ଵିତୀୟ ଦିନରେ ବାଲୁଗାଁ ଆରପିଏଫ ହାତରେ ଧରା ହେଲେ ଆଉ ଦୁଇ ଲୁଟେରା, ୬ ଫୋନ ଜବତ

Published: Aug 20, 2022, 7:05 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫର ମୋବାଇଲ ଲୁଟେରାଙ୍କ ବିରୋଧରେ କ୍ରମାଗତ ଭାବେ ଦୁଇ ଦିନ ହେଲା ଚଢ଼ାଉ ଜାରି ରହିଛି। ଗତକାଲି ଏହି ପରିପ୍ରେକ୍ଷୀରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ପୁଣି ଆଉ ଦୁଇ ମୋବାଇଲ ଲୁଟେରା ଗିରଫ ହୋଇଥିବାର ଜଣାପଡିଛି।

ସୂଚନା ମୁତାବକ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଆଜି ସକାଳେ ଆରପିଏଫ ଓ ଜିଆରପି ମିଳିତ ଭାବେ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତିନି ନମ୍ବର ପ୍ଲାଟଫର୍ମର ଶେଷ ସ୍ଥାନରୁ ଦୁଇ ଜଣ ସଂନ୍ଦିଗ୍ଧଙ୍କୁ ଗିରଫ କରିଥିଲା ରେଳବାଇ ପୋଲିସ। ସେମାନଙ୍କ ନିକଟରୁ ଛଅ ଗୋଟି ସ୍ମାର୍ଟଫୋନ ଜବତ କରିଛି ରେଳବାଇ ପୋଲିସ। ପଚରାଉଚୁରାରୁ ଜଣାପଡିଥିଲା କି ସେ ସବୁ ଚଳନ୍ତା ଟ୍ରେନରୁ ବିଭିନ୍ନ ରେଳ ଯାତ୍ରୀଙ୍କ ନିକଟରୁ ଚୋରି ହୋଇଥିବା ଫୋନ।

ଅଭିଯୁକ୍ତ ଦ୍ବୟ ହେଲେ ବାଲୁଗାଁ ଥାନା ଅଞ୍ଚଳର ସାଗର ବେହେରା (୨୩) ଏବଂ ଚନ୍ଦନ ଘଟୁଆଳି (୨୪)। ଜବତ ସ୍ମାର୍ଟଫୋନ ଗୁଡିକର ମୂଲ୍ୟ ୮୮ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଉଭୟ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେସ ନମ୍ବର ୧୦୭/୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି। ତେବେ ବାଲୁଗାଁ ଆରପିଏଫ ର ଉକ୍ତ କାର୍ଯ୍ୟକୁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି।

Related posts