ଭାରତ ଫାଇନାନ୍ସ କର୍ମଚାରୀ ଠାରୁ ଲୁଟଘଟଣା: ପୋଲିସ ପଞ୍ଝାରେ ଅଭିଯୋଗକାରୀ

Published: Aug 24, 2022, 9:11 pm IST

କନ୍ଦର୍ପ ବେହେରା

ରେଢ଼ାଖୋଲ: କିଛି ଦିନ ତଳେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହେବା ଘଟଣା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଅଭିଯୋଗ କାରୀ ପ୍ରି ପ୍ଲାନ୍ କରି ପୋଲିସ୍ କୁ ଭକୁଆ ବନାଇ ଏଇ ସଂଗ୍ରୁହିତ ଟଙ୍କା ହଡପ କରିବାକୁ ଉଦ୍ୟମ କରି ଶେଷରେ ନିଜେ ପୋଲିସ୍ ପଞ୍ଝାରେ ପଡ଼ି ଜେଲ୍ ଯିବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ।

ସୂଚନା ଥାଉ କି, ଅଗଷ୍ଟ ମାସ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ସ୍ଥିତ ଭାରତ ଫାଇନାନ୍ସ କର୍ମଚାରୀ ସୁବର୍ଣ୍ଣପୁର ଜିଲ୍ଲା କଦଳିପାଲି ଗ୍ରାମର ଜ୍ୟୋତି ଲାଲ ବିଶ୍ଵାଳ (୨୨) ଭାରତ ଫାଇନାନ୍ସ ଦ୍ଵାରା ଦେଇଥିବା ଋଣ, ସାପ୍ତାହିକ କିସ୍ତି ସଂଗ୍ରହ ଅର୍ଥ  ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ନେଇ ଆସୁଥିବା ବେଳେ ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ହେମନ୍ତଖୋଲ ଗ୍ରାମ ନିକଟ ରାସ୍ତା ଉପରେ ଏକ ବାଇକ ରେ ଦୁଇ ଜଣ ଲୁଟେରା ଆସି କର୍ମଚାରୀଙ୍କୁ ମାରପିଟ କରି ୫୪,୭୯୭ ଋଣ ଅର୍ଥ ସହିତ ମୋବାଇଲ୍ ଫୋନ୍, ଟାବଲେଟ, ଅନ୍ୟାନ୍ୟ ଜିନିଷ ସହ କାଗଜ ପତ୍ର ନେଇ ପଳାଇଥିଲେ ବୋଲି ଲିଖିତ ଅଭିଯୋଗ ଚାରମାଳ ଥାନା ରେ କର୍ମଚାରୀ ଜଣକ କରିଥିଲେ।

ଏଥିରେ ସମ୍ବଲପୁର ଏସପି ବି. ଗଙ୍ଗାଧର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇ ସାଇବର ସେଲ, ସିସିଟିଭି ଠାରୁ ଆରମ୍ଭ କରି ଭାରତ ଫାଇନାନ୍ସର ଅନ୍ୟ କର୍ମଚାରୀ ମାନଙ୍କୁ ପଚରାଉଚୁରା କରିଥିଲେ। ହେଲେ ପୋଲିସ୍ ଅଭିଯୋଗକାରୀ କର୍ମଚାରୀଙ୍କ ଉପରେ ସନ୍ଦେହ ହୋଇଥିଲା।

ପୋଲିସ୍ ଅଧିକ ପଚରାଉଚୁରା ପରେ କର୍ମଚାରୀ ଜଣକ ନିଜେ ପ୍ଲାନ୍ କରି ପ୍ରଥମେ ଜାଗା ନିର୍ଦ୍ଧାରଣ କରିଥିଲେ। ଋଣ ଅର୍ଥ ସଂଗ୍ରହ ପରେ ଚାରମାଳ ଆସି ସେହି ଗ୍ରାମର ସମ୍ପର୍କୀୟ ମାମୁଁ ଶୁଭ ପ୍ରସାଦ ବିଶ୍ଵାଳ (୨୫) ଓ ସୁବର୍ଣ୍ଣପୁର ଜିଲ୍ଲା କିରାପାଲ ଗ୍ରାମର ଗୌତମ ପ୍ରଧାନ (୨୫) ଙ୍କୁ ଡାକି ସଂଗ୍ରୁହିତ ଅର୍ଥ ସହିତ ଉକ୍ତ ଜିନିଷ ପତ୍ର ହସ୍ତାନ୍ତର କରିଥିଲେ। ତାପରେ କର୍ମଚାରୀ ଜଣକ ଚାରମାଳ ଥାନାକୁ ଯାଇ ମିଥ୍ୟା ଲିଖିତ ଅଭିଯୋଗ କରିଥିଲେ। ଏଥିରେ ପୋଲିସ ଉକ୍ତ ତିନି ଜଣଙ୍କୁ ଗିରଫ କରିବା ସହ ଦୁଇଟି ମୋଟର ସାଇକେଲ, ୭ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପରାଧିକୁ ପୋଲିସ୍ କୋର୍ଟଚାଲାଣ କରିଛି।

Related posts