ଖୋର୍ଦ୍ଧା: ବେଗୁନିଆରୁ କାର ସହିତ ୧ ହଜାର ଲିଟରରୁ ଉର୍ଦ୍ଧ୍ଵ ଦେଶୀ ମଦ ଜବତ

Published: Aug 27, 2022, 6:30 pm IST

ଖୋର୍ଦ୍ଧା: ଆଜି ଅପରାହ୍ନରେ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ ବେଗୁନିଆ ଥାନା ରସୋଳ ଅଞ୍ଚଳରୁ ଏକ ମଦ ବୋଝେଇ ମାରୁତି କାର ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ବିଳମ୍ବ ନ କରି ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ତେବେ ଦୂରରୁ ଅବକାରୀ ଗାଡ଼ିକୁ ଦେଖି ମଝି ରାସ୍ତାରେ ଅଭିଯୁକ୍ତ ରଜନୀକାନ୍ତ ପାଇକରାୟ ଗାଡ଼ି ଛାଡି ଫେରାର ହେବାକୁ ସକ୍ଷମ ହୋଇଥିଲେ। ଉକ୍ତ ଗାଡିକୁ ଅବକାରୀ ବିଭାଗ ଜବତ କରିବା ସହ ସେଥିରୁ ୧ ହଜାର ୪୦ ଲିଟର ଦେଶୀ ମଦ ଜବତ କରିଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୪୪/୨୨-୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଉକ୍ତ ଚଢ଼ାଉରେ ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ଏସଆଇ ବି ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ବେଗୁନିଆ ଏବଂ ଭ୍ରାମ୍ୟମାଣ ୟୁନିଟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Related posts