ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରିବା ମହଙ୍ଗା ପଡିଲା, ବାଣପୁରରୁ ଗିରଫ ହେଲା ଅଭିଯୁକ୍ତ

Published: Sep 7, 2022, 10:32 am IST

ସୀତାରାମ ଅଗ୍ରୱାଲ

ବାଣପୁର/ଖଲ୍ଲିକୋଟ: ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିବା ରଙ୍ଗିଲା ଟୋକା ପୋଲିସ ଦ୍ବାରା ଗିରଫ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ମନୋଜ ବାରିକ ନାମକ ଜଣେ ଯୁବକ ଯୁବତୀମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଜଣେ ନାବାଳିକାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ଫେସବୁକ, ହ୍ଵାଟ୍ସଆପ ଭଳି ବିଭିନ୍ନ ସୋସିଆଲ ମିଡ଼ିଆରେ ପଠାଇ ଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୧୭୮/୨୦୨୧ ପୋକ୍ସ ଆକ୍ଟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମନୋଜ ବାରିକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା ପୋଲିସ।

କିଛି ଦିନ ପରେ ଜେଲରୁ ଜାମିନରେ ଆସି ପୁନର୍ବାର ଉକ୍ତ ନାବାଳିକାଙ୍କ ଫଟୋକୁ ପୁଣି ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଇଥିଲା। ନାବାଳିକାର ଅଭିଯୋଗ କ୍ରମେ ଥାନା କେସ ନମ୍ବର ୬୩୩/୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା।ସେବେ ଠାରୁ ମନୋଜ ଫେରାର ଥିଲା।

ବର୍ତ୍ତମାନ ପୁଣି ଥରେ ମନୋଜ ଉକ୍ତ ନାବାଳିକାର ମାଆଙ୍କ ଫୋଟକୁ ଅଶ୍ଳୀଳ ଭାବେ ଏଡିଟିଂ କରି ଭାଇରାଲ କରିବା ପରେ ଖଲିକୋଟ ଥାନାରେ କେସ ନମ୍ବର ୪୮୭/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରି ରଖିଥିଲା ପୋଲିସ। ଏହାପରେ ନାବାଳିକାର ମାମୁଁଙ୍କ ଫୋଟକୁ ଅନ୍ୟ ଝିଅ ମାନଙ୍କ ସହ ଯୋଡ଼ି ଭାଇରାଲ କରିବା ଅଭିଯୋଗରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୪୮୮/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରିଥିଲା ପୋଲିସ।

ଅନ୍ୟପଟେ ଖଲ୍ଲିକୋଟ ଥାନା ଅତିରିକ୍ତ ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ଅପରାହ୍ନରେ ଉକ୍ତ ଯୁବକ ମନୋଜଙ୍କୁ ବାଣପୁର ଥାନା ବଡ଼ଶିରେଇପୁର ଗ୍ରାମରୁ ଗିରଫ କରିଥିବା ବେଳେ ସନ୍ଧ୍ୟାରେ ଉକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।

ତେବେ କେସ ନମ୍ବର ୪୮୭/୨୦୨୨ ରେ ମନୋଜଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାମଲା ଗୁଡିକରେ ଜେରା କରିବା ପାଇଁ ପୋକ୍ସ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରାଯାଇଛି ବୋଲି ଥାନା ଏସ ଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି।

Related posts