ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ସମ୍ପୃକ୍ତି ମାମଲା, ଦେଶର ୬୦ ଟି ସ୍ଥାନରେ ଚଢାଉ ଜାରି

Published: Sep 12, 2022, 10:30 am IST

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟର ୬୦ ଟି ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ ଜାରି ରହିଛି। ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ ସମ୍ପୃକ୍ତି ମାମଲାରେ ଏହି ଜେରା ଚାଲିଛି। କୁହାଯାଉଛି ଯେ, ଏହି ଗ୍ୟାଙ୍ଗ ଦେଶ ତଥା ବିଦେଶ ଏବଂ ଭାରତୀୟ ଜେଲରେ ସକ୍ରିୟ ଅଛନ୍ତି। ନିକଟରେ ଏନଆଇଏର ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ ହରିୟାଣା ଏବଂ ପଞ୍ଜାବ ପୋଲିସର ଅଧିକାରୀଙ୍କୁ ଭେଟିଛନ୍ତି। ଗୋଲ୍ଡି ବରାରଙ୍କ ସମେତ ଅନେକ ଗ୍ୟାଙ୍ଗଷ୍ଟର ବିଦେଶରୁ ସକ୍ରିୟ ଅଛନ୍ତି।

ଏନଆଇଏ ଟିମ୍ ହରିୟାଣାର ଯମୁନାନଗରରେ ଥିବା ଗ୍ୟାଙ୍ଗଷ୍ଟର କାଲା ରାଣାଙ୍କ ଘରେ ମଧ୍ୟ ପହଞ୍ଚିଛି। ରାଣାଙ୍କ ଘର ବାହାରେ ବଡ ଧରଣର ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ତାଙ୍କ ପିତାମାତାଙ୍କୁ ପଚରାଉଚରା କରାଯାଉଛି। ମାଜିଠା ରୋଡରେ ଥିବା ଗ୍ୟାଙ୍ଗଷ୍ଟର ଶୁଭମଙ୍କ ଘରେ ମଧ୍ୟ ଏନଆଇଏ ଚଢାଉ କରୁଛି। ଏନଆଇଏ ଟିମ୍ ତାଙ୍କ ଘରେ ତଲାସି ନେଉଛି। ଅନ୍ୟପକ୍ଷରେ, ପଞ୍ଜାବର ମୁକ୍ତସର ଗୋଲ୍ଡି ବରାରଙ୍କ ଘର ଏବଂ ଗୁରୁଦାସପୁରର ଜଗଗୁ ଭଗବାନପୂରିଆଙ୍କ ଘରେ ଚଢାଉ କରାଯାଉଛି। ସିଦ୍ଧୁ ମୁସେୱାଲା ମାମଲାରେ ଉଭୟ ଅଭିଯୁକ୍ତ।

ଗତ ଦୁଇ ମାସ ମଧ୍ୟରେ ପଞ୍ଜାବରେ ହୋଇଥିବା ଗ୍ୟାଙ୍ଗୱାର ସମ୍ପର୍କରେ କେନ୍ଦ୍ର ପଞ୍ଜାବ ପୋଲିସକୁ ଅନେକ ସତର୍କ ସୂଚନା ପଠାଇଛି। ଅନେକ ଆତଙ୍କବାଦୀ ମାମଲାର ଅନୁସନ୍ଧାନରେ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମେଣ୍ଟ ହୋଇଥିବା ପ୍ରକାଶ ପାଇଛି। ଅନେକ ଗ୍ୟାଙ୍ଗଷ୍ଟର ମଧ୍ୟ ପରଦା ପଛରୁ କାର୍ଯ୍ୟ କରୁଛନ୍ତି। ନିକଟରେ ସିଦ୍ଧୁ ମୁସେୱାଲା ହତ୍ୟାରେ ସମ୍ପୃକ୍ତ ଅନେକ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଦିଲ୍ଲୀ ପୋଲିସ UAPA ଲଗାଇଛି।

Related posts