କନ୍ଧମାଳରୁ ଭୁବନେଶ୍ୱର ଯାଉଥିଲା ଗଞ୍ଜେଇ ବୋଝେଇ କାର, ବାଘମାରି ଠାରେ ମାଡି ବସିଲା ପୋଲିସ

Published: Sep 16, 2022, 11:46 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରେ ଗଞ୍ଜେଇ ବୋଝଇ କାର ଜବତ କରି ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ କାର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବାର ପୋଲିସ ଖବର ପାଇଥଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ବାଘମାରି ଆଇଆଇସି ପ୍ରଜ୍ଞା ରିତାମ୍ଭରା କର ଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତ ଏବଂ ଏଏସଆଇ ରଞ୍ଜିତ ନାୟକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଥିବା ବେଳେ ପରିଶେଷରେ ବାଘମାରି ବାମଡିହ ଛକ ନିକଟରୁ ଉକ୍ତ କାରଟିକୁ ଠାବ କରିଥିଲା ପୋଲିସ।

ତଲାସି ବେଳେ କାରରୁ ଦୁଇ ଗୋଟି ଜରି ବ୍ୟାଗରୁ ୩୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବାଲିଗୁଡା ଥାନା ଅଞ୍ଚଳର ଅଭିଯୁକ୍ତ ସୁଶାନ୍ତ ଦିଗଲ (୩୫) ଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ନିୟମିତ ଭାବେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବେପାର କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ବାଘମାରୀ ଥାନାରେ କେସ ନମ୍ବର ୧୧୯/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି।

Related posts