
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅନ୍ତରୀଣ ଜାମିନ ପାଇଛନ୍ତି। ତାଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି। ଜ୍ୟାକଲିନଙ୍କୁ ଚାର୍ଜସିଟର ଏକ କପି ଦିଆଯାଇଛି। ପିଙ୍କି ଇରାନୀ ମଧ୍ୟ ଆଜି କୋର୍ଟରେ ବିଚାରପତିଙ୍କ ନିକଟରେ ହାଜର ହୋଇଥିଲେ। ପଟିଆଲା ହାଉସ କୋର୍ଟ ପରବର୍ତ୍ତୀ ସମୟରେ ଅକ୍ଟୋବର ୨୨ ତାରିଖରେ ଜ୍ୟାକଲିନଙ୍କ ମାମଲାର ଶୁଣାଣି କରିବେ। ଉଲ୍ଲେଖ ଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଉପସ୍ଥାପନ କରିଥିଲା। ଇଡି ତାଙ୍କୁ ଚାର୍ଜସିଟରେ ଜଣେ ଅଭିଯୁକ୍ତ ବୋଲି କହିଥିଲା।