ଗୁଜୁରାଟର ସୁରଟରେ ଆମ୍ବୁଲାନ୍ସରୁ ୨୫.୮୦ କୋଟି ମୂଲ୍ୟର ନକଲି ନୋଟ୍ ଜବତ

Published: Oct 1, 2022, 10:54 am IST

ସୁରଟ: ଗୁଜୁରାଟର ସୁରଟ ଜିଲ୍ଲାର ଏକ ଆମ୍ବୁଲାନ୍ସରୁ ୨୫.୮ କୋଟି ଟଙ୍କା ମୂଲ୍ୟର ନକଲି ନୋଟ ଜବତ କରିଛି ପୋଲିସ। ଜଣେ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଏହି ନକଲି ନୋଟଗୁଡ଼ିକୁ ଚଳଚ୍ଚିତ୍ରରେ ବ୍ୟବହାର ପାଇଁ ମୁମ୍ବାଇକୁ ନିଆଯାଉଥିବା ପୋଲିସ କହିଛି। ପୋଲିସ ଅଧୀକ୍ଷକ (ସୁରଟ ଗ୍ରାମୀଣ) ହିତେଶ ଜୋଏସର କହିଛନ୍ତି ଯେ, ନକଲି ଭାରତୀୟ ମୁଦ୍ରାର ଏକ ସାମଗ୍ରୀ ଆମ୍ବୁଲାନ୍ସ ମାଧ୍ୟମରେ କାମରେଜ ପୋଲିସ ଷ୍ଟେସନ ଅଞ୍ଚଳ ଦେଇ ଯିବ ବୋଲି ସୂଚନା ମିଳିଥିଲା। ଏହି ସୂଚନା ପରେ ସ୍ଥାନୀୟ ପୋଲିସ ଗୁରୁବାର ଏକ ଚେକପଏଣ୍ଟରେ ଗାଡିଟିକୁ ଅଟକାଇ ୬ ଟି ବ୍ୟାଗରେ ୨୦୦୦ ଟଙ୍କା ନୋଟ୍ ଜବତ କରିଥିଲା।

ସେ କହିଛନ୍ତି ଯେ, ପ୍ରତ୍ୟେକ ନୋଟରେ ‘ରିଭର୍ସ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଏବଂ ‘ଫିଲ୍ମରେ ବ୍ୟବହାର ପାଇଁ’ ମୁଦ୍ରିତ ହୋଇଛି। ସେ କହିଛନ୍ତି ଯେ ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ନୋଟଗୁଡ଼ିକୁ ନକଲି ମୁଦ୍ରା ଭାବରେ ବ୍ୟବହାର କରାଯାଇପାରିବ କି ନାହିଁ ତାହା ଯାଞ୍ଚ କରିବା ପାଇଁ ଏକ ଦଳ ଗଠନ କରାଯାଇଛି।

ଏସପି କହିଛନ୍ତି ଯେ ଆମ୍ବୁଲାନ୍ସ ଡ୍ରାଇଭରକୁ ଅଟକ ରଖାଯାଇଛି। ଏବଂ ତାଙ୍କ ନାମରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ପଞ୍ଜିକୃତ ହୋଇନାହିଁ।

Related posts