ମୁମ୍ବାଇ ବିମାନବନ୍ଦରରୁ ଗୋଟିଏ ଦିନରେ ୬୧ କିଲୋଗ୍ରାମ ସୁନା ଜବତ, ୭ ଗିରଫ

Published: Nov 13, 2022, 9:48 pm IST

ମୁମ୍ବାଇ: ଆଜି ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ୩୨ କୋଟି ମୂଲ୍ୟର ୬୧ କିଲୋଗ୍ରାମ ସୁନା ଜବତ କରିଛି। ଏହି ମାମଲାରେ ୨ ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ମୁମ୍ବାଇ କଷ୍ଟମ୍ ଇତିହାସରେ ବିମାନବନ୍ଦରରେ ଗୋଟିଏ ଦିନରେ ଏହା ସବୁଠାରୁ ବଡ ଧରଣର ଜବତ।

କଷ୍ଟମ ବିଭାଗ ଅନୁଯାୟୀ, ପ୍ରଥମ ମାମଲାରେ ୪ ଜଣ ଭାରତୀୟ ଯାତ୍ରୀ ତାଞ୍ଜାନିଆରୁ ଆସିଥିଲେ। ସେମାନେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଅଣ୍ଟା ବେଲ୍ଟ ପକେଟରେ ସୁନାକୁ ଲୁଚାଇ ରଖିଥିଲେ। ଏହି ଚାରି ଜଣଙ୍କ ମଧ୍ୟରୁ ମୋଟ ୫୩ କିଲୋଗ୍ରାମ ୨୮.୧୭ କୋଟି ଟଙ୍କା ସୁନା ଜବତ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସରେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବେଲ୍ଟରେ ସୁନା ଗୁଡିକୁ ଲୁଚାଇ ରଖାଯାଇଥିଲା।

ଜେରା ବେଳେ ସମସ୍ତ ଚାରିଜଣ ଯାତ୍ରୀ ସ୍ୱୀକାର କରିଛନ୍ତି ଯେ, ସେମାନଙ୍କୁ ଅଜଣା ସୁଡାନ ନାଗରିକ ଦ୍ୱାରା ଦୋହା ବିମାନବନ୍ଦରରେ ସୁନା ହସ୍ତାନ୍ତର କରାଯାଇଥିଲା। ତେବେ ସେହି ଯାତ୍ରୀ ସେମାନଙ୍କ ସହ ଯାତ୍ରା କରିନଥିଲେ। ଏହି ଚାରିଜଣ ଯାତ୍ରୀଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ସେହିଭଳି ନଭେମ୍ବର ୧୧ ତାରିଖରେ ହୋଇଥିବା ଅନ୍ୟ ଏକ ମାମଲାରେ ମୁମ୍ବାଇ ବିମାନବନ୍ଦରର କଷ୍ଟମ୍ସ ଅଧିକାରୀମାନେ ବିସ୍ତାରା ବିମାନରେ ଦୁବାଇରୁ ଆସିଥିବା ତିନି ଯାତ୍ରୀ (ଜଣେ ପୁରୁଷ ଏବଂ ଦୁଇ ମହିଳା) ଙ୍କ ଠାରୁ ୩.୮୮ କୋଟି ଟଙ୍କା ମୂଲ୍ୟର ୮ କିଲୋଗ୍ରାମ ସୁନା ଜବତ କରିଛନ୍ତି। ମହମ ଆକାରରେ ଥିବା ସୁନା ପେଷ୍ଟକୁ ଯାତ୍ରୀମାନେ ପିନ୍ଧିଥିବା ଜିନ୍ସ ପ୍ୟାଣ୍ଟର ଅଣ୍ଟା ନିକଟରେ ଲୁଚାଇ ରଖିଥିଲେ।

ଏହି ତିନି ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ୬୦ବର୍ଷ ବୟସ୍କା ମହିଳା ଯାତ୍ରୀ ଏକ ହୁଇଲ ଚେୟାରରେ ଥିଲେ। ଏହି ତିନି ଯାତ୍ରୀଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।

Related posts