ବାଣପୁରରେ ବଡଧରଣର ଚଢାଉ: ୧୨ ହଜାର କେଜି ମହୁଲି ପୋଚ ଓ ୬୮୦ ଲିଟର ଦେଶୀ ମଦ ଜବତ

Published: Nov 22, 2022, 1:47 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ସକାଳ ୮ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା। ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଚଢାଉ ସମୟରେ ମୋଟ ୧୨ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୬୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।ଉକ୍ତ ଚଢାଉରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଜିଲ୍ଲା ମୋବାଇଲ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ଅଧିକାରିଣୀ ସୁନିତା ଦଳାଇ, ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରା ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦୁଇ ଗୋଟି ମାମଲା ରୁଜୁ କରିଛି।

Related posts