ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କୁ ଝଟକା: ମିଳିଲାନି ଜାମିନ

Published: Nov 30, 2022, 6:38 pm IST

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କ ଜାମିନ ଆବେଦନ ଉପରେ PMLA କୋର୍ଟ ଏହାର ରାୟ ଦେଇଛନ୍ତି। ନବାବ ମଲିକଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଜଜ୍ ଏହି ଆଦେଶରେ କହିଛନ୍ତି ଯେ, କୁର୍ଲାର ଗୋଆୱାଲା କମ୍ପାଉଣ୍ଡର ମାଲିକ ମୁନିରା ପ୍ଲମ୍ବରଙ୍କ ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅର୍ଥ ହେରଫେର ଅଭିଯୋଗରେ ଇଡି ଚଳିତ ବର୍ଷ ଫେବୃଆରୀ ୨୩ ତାରିଖରେ ନବାବ ମଲିକଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ନ୍ୟାୟିକ ହେପାଜତରେ ଅଛନ୍ତି।

ନବାବ ମଲିକ ନ୍ୟାୟିକ ହେପାଜତରେ ଅଛନ୍ତି, କିନ୍ତୁ ଅସୁସ୍ଥତା ହେତୁ ସେ ବର୍ତ୍ତମାନ ମୁମ୍ବାଇର କୁର୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯେଉଁଠାରେ ତାଙ୍କୁ ଦୀର୍ଘ ସମୟ ଧରି ଆଡମିଶନ କରାଯାଇଛି। ନଭେମ୍ବର ୧୪ ତାରିଖରେ ଉଭୟ ପକ୍ଷର ଦୀର୍ଘ ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ଜଜ୍ ଆର.ଏନ୍ ରୋକଡେ ମଲିକଙ୍କ ଜାମିନ ଆବେଦନ ଉପରେ ତାଙ୍କ ଆଦେଶ ସଂରକ୍ଷିତ ରଖିଥିଲେ।

ନଭେମ୍ବର ୨୪ ତାରିଖରେ ଏହାର ଆଦେଶ ଘୋଷଣା କରାଯିବ ବୋଲି କୋର୍ଟ ପୂର୍ବରୁ କହିଥିଲେ। ତେବେ ସେଦିନ କୋର୍ଟ ପ୍ରସ୍ତୁତ ହୋଇ ନ ଥିବାରୁ କୋର୍ଟ ଏହାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ମଲିକ ଜୁଲାଇରେ ସ୍ୱତନ୍ତ୍ର କୋର୍ଟରେ ନିୟମିତ ଜାମିନ ଆବେଦନ କରିଥିଲେ। ଅର୍ଥ ହେରଫେର ମାମଲାରେ ତାଙ୍କୁ କୋର୍ଟ ଚାଲାଣ କରିବାର କୌଣସି କାରଣ ନାହିଁ ବୋଲି ଏନସିପି ନେତା ଜାମିନ ମାଗିଛନ୍ତି।

Related posts