କଟକ: ଏସଟିଏଫ କୁ ମିଳିଲା ବଡ଼ ସଫଳତା, କୋଟିଏରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ୨ ଗିରଫ

Published: Dec 4, 2022, 1:16 pm IST

କଟକ: ଏସଟିଏଫ କୁ ଆଜି ବଡ ସଫଳତା ମିଳିଛି। ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହ ଏକ କେଜିରୁ ଉର୍ଦ୍ଧ୍ଵ ଓଜନର ବ୍ରାଉନ ସୁଗାର ଏସଟିଏଫ ଜବତ କରିଛି।

ସୂଚନା ମୁତାବକ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଗତକାଲି ସନ୍ଧ୍ୟାରେ ବ୍ରାଉନ ସୁଗାରର ବଡ଼ ଧରଣର ଡ଼ିଲ ଚାଲିଥିବାର ଖବର ମିଳିଥିଲା। ତେବେ କଟକ ଜିଲ୍ଲା ପୋଲିସର ସହଯୋଗରେ ଭୁବନେଶ୍ୱର ଏସଟିଏଫ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଦୁଇ ନିଶା ବେପାରି ଯଥା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୁମେଶ କୁମାର ସାହୁ ଏବଂ କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳର ହେମନ୍ତ କୁମାର ପ୍ରଧାନଙ୍କୁ ଏସଟିଏଫ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧ କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର, ଗୋଟାଏ କାର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି।

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୯/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଜଣାପଡ଼ିଛି।

Related posts