ଓଡିଶାରେ ଋଷ ନାଗରିକଙ୍କ ମୃତ୍ୟୁ ମାମଲା: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆସିଲା ପ୍ରତିକ୍ରିୟା

Published: Jan 6, 2023, 11:44 am IST

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଓଡିଶାରେ ଋଷର ସାଂସଦଙ୍କ ସମେତ ତିନିଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ଏକ ଚହଳ ସୃଷ୍ଟି କରିଛି। ଏହି ତିନୋଟି ମାମଲାର ଗମ୍ଭୀରତାର ସହ ଅନୁସନ୍ଧାନ କରାଯାଉଛି। ଏହି ମୃତ୍ୟୁକୁ ନେଇ ସନ୍ଦେହ ଦିନକୁ ଦିନ ବୃଦ୍ଧି ପାଉଛି। ଏଥି ସହିତ ରୁଷ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମନ୍ତବ୍ୟ ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁରୁବାର ଦିନ କହିଛନ୍ତି ଯେ, ଋଷର ତିନି ନାଗରିକଙ୍କ ମୃତ୍ୟୁ ଏକାଠି ଜଡିତ କାରାଯାଇ ନାହିଁ, ଯେହେତୁ ସମସ୍ତ ମାମଲାର ତଦନ୍ତ ଚାଲିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, “ଓଡିଶାରେ ରୁଷୀୟଙ୍କ ମୃତ୍ୟୁ ଘଟଣାର ଆବଶ୍ୟକ ତଦନ୍ତ ଚାଲିଛି। ବର୍ତ୍ତମାନ ଓଡିଶା ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ଜଳରେ ଜଣେ ରୁଷୀୟ ନାବିକଙ୍କ ମୃତ୍ୟୁ ବିଷୟରେ ଆମେ ଜାଣିବାକୁ ପାଇଛୁ। ତାଙ୍କ ମୃତଦେହକୁ ପାରାଦୀପ ବନ୍ଦର ପଠାଯାଇଛି। ମୁଁ ଚାହୁଁ ନାହିଁ ଯେ ତିନୋଟି ମାମଲା ଏକାଠି ଯୋଡା ଯାଇ ଦେଖାଯାଉ।”

ସେ କହିଛନ୍ତି ଯେ, ଭାରତ ଏକ ବଡ ଦେଶ ଯେଉଁଠାରେ ବହୁ ସଂଖ୍ୟକ ବିଦେଶୀ ଆସନ୍ତି। ବାଗଚି ଏହା ମଧ୍ୟ କହିଛନ୍ତି ଯେ, ମୃତ୍ୟୁ ପରିସ୍ଥିତି ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁସନ୍ଧାନ କରାଯାଉଛି ଏବଂ ଏହି ସମୟ ମଧ୍ୟରେ ଏହି ତିନୋଟି ମାମଲାକୁ ଯୋଡିବାର କୌଣସି କାରଣ ନାହିଁ।

ଏକ ମାଲବାହୀ ଜାହାଜରେ ମୁଖ୍ୟ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିବା ତୃତୀୟ ଋଷୀୟ ନାଗରିକଙ୍କ ମୃତ୍ୟୁ ପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ମନ୍ତବ୍ୟ ଆସିଛି। ଏହି ସପ୍ତାହରେ ଓଡିଶା ଉପକୂଳରୁ ତାଙ୍କର ମୃତଦେହ ମିଳିଥିଲା। ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ଏହା ତୃତୀୟ ରୁଷୀୟ ନାଗରିକ। ପୋଲିସ କହିଛି ଯେ, ସାମୁଦ୍ରିକ ପୋଲିସ ଅନ୍ୟ ଆଇନଗତ କର୍ତ୍ତୃପକ୍ଷଙ୍କ ସହ ମିଲିୟାକୋଭ ସର୍ଗେଇ ନାମକ ଋଷର ନାଗରିକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ଏବଂ ଏହା ପରେ ହିଁ ଚୂଡ଼ାନ୍ତ ରିପୋର୍ଟ ଉପଲବ୍ଧ ହେବ।

ଉଲ୍ଲେଖନୀୟ ଯେ, ଡିସେମ୍ବର ୨୪ ତାରିଖରେ ରୁଷର ନାଗରିକ ପାୱେଲ ଏଣ୍ଟୋଭ ଏକ ହୋଟେଲର ତୃତୀୟ ମହଲାରୁ ଖସିପଡ଼ିବା ପରେ ମୃତ୍ୟୁବରଣ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟକୁ ଉଦ୍ଧୃତ କରି ଓଡିଶା ପୋଲିସ କହିଛି ଯେ, ଅନ୍ୟ ଜଣେ ଋଷୀୟ ନାଗରିକ ଭ୍ଲାଦିମିର ବିଡେନୋଭଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।

Related posts