ଶିଷ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ: ଆସନ୍ତାକାଲି ଦଣ୍ଡ ଘୋଷଣା କରିବେ କୋର୍ଟ

Published: Jan 30, 2023, 6:51 pm IST

ନୂଆଦିଲ୍ଲୀ: ଗୁଜୁରାଟର ଗାନ୍ଧିନଗର କୋର୍ଟ ଆଜି ଜଣେ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୩ ରେ ସୁରଟରୁ ଦୁଇ ଭଉଣୀଙ୍କ ଦୁଷ୍କର୍ମ ମାମଲାରେ ଗାନ୍ଧିନଗର ସେସନ କୋର୍ଟ ଆସାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଶାରାମଙ୍କ ପୁଅ ନାରାୟଣ ସାଇ ମଧ୍ୟ ଅଭିଯୁକ୍ତ ଥିଲେ।

ଏହି ମାମଲାରେ ଆଶାରାମଙ୍କ ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଏବଂ ଚାରିଜଣ ମହିଳା ଅନୁଗାମୀ – ଧ୍ରୁବବେନ୍, ନିର୍ମଳା, ଜସି ଏବଂ ମୀରା ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଭାବରେ ନାମିତ ହୋଇଥିଲେ। ସମସ୍ତେ ଗାନ୍ଧିନଗର କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଆଶାରାମ ବର୍ତ୍ତମାନ ଯୋଧପୁର ଜେଲରେ ଅଛନ୍ତି। ଆସନ୍ତାକାଲି ଆଶାରାମଙ୍କୁ ଦଣ୍ଡିତ କରାଯିବ। ୨୦୧୩ ରେ ସୁରଟର ଦୁଇ ଭଉଣୀ ନାରାୟଣ ସାଇ ଏବଂ ତାଙ୍କ ପିତା ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରିଥିଲେ। ସାନ ଭଉଣୀ ଅଭିଯୋଗରେ କହିଥିଲେ ଯେ, ନାରାୟଣ ସାଇ ତାଙ୍କୁ ୨୦୦୨ ରୁ ୨୦୦୫ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଥିଲେ।

ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସେ ସୁରଟର ଆଶାରାମ ଆଶ୍ରମରେ ରହୁଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଅନ୍ୟପକ୍ଷରେ ବଡ଼ ଭଉଣୀ ଅସାରାମଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ପୀଡିତା କହିଛନ୍ତି ଯେ, ଅହମ୍ମଦାବାଦ ଆଶ୍ରମରେ ଆଶାରାମ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଉଭୟ ଭଉଣୀ ବାପା ଓ ପୁଅଙ୍କ ବିରୋଧରେ ଅଲଗା ଅଭିଯୋଗ କରିଥିଲେ।

ଆଶାରାମ ବାପୁ ବର୍ତ୍ତମାନ ଯୋଧପୁରର ଏକ ଜେଲରେ ଅଛନ୍ତି। ୨୦୧୮ ରେ ଏକ ଯୌନ ନିର୍ଯାତନା ମାମଲାରେ ଯୋଧପୁର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେ ୨୦୧୩ ରେ ଯୋଧପୁର ଆଶ୍ରମରେ ଜଣେ ୧୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଜେଲରେ ଥିବା ଅସାରାମ ବାପୁ ନିକଟରେ କୋର୍ଟରୁ ଜାମିନ ମାଗିଥିଲେ। ଜାମିନ ଆବେଦନପତ୍ରରେ ଆସାରାମ କହିଥିଲେ ଯେ ସେ ଗତ ୧୦ ବର୍ଷ ଧରି ଜେଲରେ ଅଛନ୍ତି। ତାଙ୍କର ବୟସ ୮୦ ବର୍ଷରୁ ଅଧିକ। ସେ ଗୁରୁତର ଅସୁସ୍ଥତାର ଶିକାର ହେଉଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ସହାନୁଭୂତି ସହ ବିଚାର କରିବା ଉଚିତ ଏବଂ ଜାମିନ ଆଦେଶ ଦେବା ଉଚିତ, ଯାହା ଦ୍ଵାରା ସେ ଉପଯୁକ୍ତ ଚିକିତ୍ସା ପାଇପାରିବେ।

Related posts