ପାକିସ୍ତାନରେ ପୁଣି ହିଂସା, ପୋଲିସ ଷ୍ଟେସନ ଉପରେ ଆକ୍ରମଣ କଲେ ୨୫ ସଶସ୍ତ୍ର ଆତଙ୍କବାଦୀ

Published: Feb 1, 2023, 11:45 am IST

ନୂଆଦିଲ୍ଲୀ: ପାକିସ୍ତାନର ସମସ୍ୟା ଶେଷ ହେବାର ନାମ ନେଉନାହିଁ। ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟ ପଟେ ଆତଙ୍କବାଦ ଦେଶର ଅଣ୍ଟା ଭାଙ୍ଗି ଦେଇଛି। ପେଶୱାର ମସଜିଦରେ ହୋଇଥିବା ବିସ୍ଫୋରଣରୁ ଦେଶ ଏପର୍ଯ୍ୟନ୍ତ ଉଦ୍ଧାର ହୋଇନଥିବା ବେଳେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ଘଟିଥିବା ସୂଚନା ରହିଛି। ଏଥର ଆତଙ୍କବାଦୀମାନେ ପୋଲିସ ଷ୍ଟେସନକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ରାତିରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିଆଁୱାଲି ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପୋଲିସର ସୂଚନାନୁସାରେ ୨୦ ରୁ ୨୫ ଜଣ ସଶସ୍ତ୍ର ଆତଙ୍କବାଦୀ ଗୋଷ୍ଠୀ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ତେବେ ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ଛତ୍ରଭଙ୍ଗ କରିଥିଲେ।

ଗଣମାଧ୍ୟମ ଅନୁଯାୟୀ ପୋଲିସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ପୋଲିସ ପଣ୍ଡ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପାକିସ୍ତାନ ଲହୁଲୁହାଣ ହିଥିଲା। ପେଶାୱର ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୯୦ କୁ ବୃଦ୍ଧି ପାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଆକ୍ରମଣରେ ୧୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯାହାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି।

Related posts