ମିଡିଆ ସମ୍ମୁଖରେ ଭାବୁକ ହେଲେ ପିଟି ଉଷା: କହିଲେ ସାଂସଦ ହେବା ପରେ ମୋତେ କରାଯାଉଛି ହଇରାଣ

Published: Feb 5, 2023, 12:16 pm IST

ନୂଆଦିଲ୍ଲୀ: ଭେଟେରାନ ଆଥଲେଟ୍ ତଥା ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ (IOA) ର ସଭାପତି ପି.ଟି ଉଷା ଶନିବାର ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେରଳର କୋଝିକୋଡେ ଜିଲ୍ଲାରେ ଅବସ୍ଥିତ ତାଙ୍କ ଆଥଲେଟ୍ସ ଏକାଡେମୀ କ୍ୟାମ୍ପସରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ମ୍ୟାନେଜମେଣ୍ଟ ଏହାକୁ ବିରୋଧ କରିଥିଲେ, ସେତେବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା।

ତେବେ ପୋଲିସ ନିକଟରେ ଅଭିଯୋଗ ହେବା ପରେ କାମ ବନ୍ଦ ହୋଇଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଜେ, “କିଛି ଲୋକ ଉଷା ସ୍କୁଲ ଅଫ୍ ଆଥଲେଟିକ୍ସର କମ୍ପାଉଣ୍ଡରେ ପ୍ରବେଶ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଯେତେବେଳେ ମ୍ୟାନେଜମେଣ୍ଟ ଏହାକୁ ବିରୋଧ କରିଥିଲେ ସେତେବେଳେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ସେମାନେ ପନଗଡ ପଞ୍ଚାୟତରୁ ଅନୁମତି ଆଣିଥିବା ଦାବି କରିଥିଲେ। ଆମେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ବନ୍ଦ ହୋଇଥିଲା। ”

ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଭେଟେରାନ ଆଥଲେଟ୍ କହିଛନ୍ତି ଯେ, ଉଷା ସ୍କୁଲ୍ ଆଥଲେଟିକ୍ସର ଖେଳାଳିମାନେ କିଛି ସମୟ ଧରି ଏଭଳି ହଇରାଣ ତଥା ସୁରକ୍ଷା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହା ସେ ରାଜ୍ୟସଭା ସଦସ୍ୟ ହେବା ପରେ ତୀବ୍ର ହୋଇଛି। ଜୁଲାଇ ୨୦୨୨ ରେ ବିଜେପି ପି.ଟି ଉଷାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲା।

କ୍ୟାମ୍ପସରେ ଅନୁପ୍ରବେଶ ହେତୁ ଏକାଡେମୀରେ ରହୁଥିବା ଲୋକ ଓ ବାଳିକାଙ୍କ ସୁରକ୍ଷାକୁ ନେଇ ପିଟି ଉଷା ଚିନ୍ତା ପ୍ରକଟ କରିଛନ୍ତି। ସେ ଏଥିରେ କେରଳର ବାମ ସରକାର ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ନିବେଦନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଏବଂ ସେଠାରେ ମହିଳା ଆଥଲେଟ୍ ମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କ୍ୟାମ୍ପସରେ ଅତିକ୍ରମଣ ତଥା ଅନୁପ୍ରବେଶ ବନ୍ଦ କରନ୍ତୁ।

ସେ କହିଛନ୍ତି ଜେ, “ଉଷା ବିଦ୍ୟାଳୟରେ ୨୫ ଜଣ ମହିଳା ଅଛନ୍ତି, ସେମାନଙ୍କ ମଧ୍ୟରୁ ୧୧ ଜଣ ଉତ୍ତର ଭାରତର। ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ଦାୟିତ୍ଵ ଅଟେ। ମୁଁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛି।” ନିଶା ସେବନକାରୀମାନେ ବିଦ୍ୟାଳୟର ପରିସରରେ ପ୍ରବେଶ କରି ସେଠାରେ ପରିବେଶ ଖରାପ କରୁଛନ୍ତି ବୋଲି ଉଷା ଅଭିଯୋଗ କରିଛନ୍ତି।

Related posts