ଦାମୀ କାର୍ ସହ ୭୦ କିଲୋ ଗଞ୍ଜେଇ ଓ ଚାଲାଣକାରୀ ବିହାରୀ ଯୁବକ ଗିରଫ

Published: Mar 14, 2023, 11:54 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ବିଭାଗ ଉପାୟୁକ୍ତ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଗୋଇନ୍ଦା ବିଭାଗ ଇନିଷ୍ପେକ୍ଟର ଗିତାଞଳୀ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଆସ୍କା ବିଜୁ ପଟ୍ଟନାୟକ ଛକରେ ବିଭିନ୍ନ ଗାଡ଼ି ଯାଞ୍ଚ କରୁଥିଲେ। ଠିକ ସେତିକି ବେଳେ ପଶ୍ଚିମବଙ୍ଗ ନଂ ରେଜିଷ୍ଟ୍ରେସନ ଏକ କଳା ରଙ୍ଗର କାର୍ ଖସି ପଳାଇ ଥିଲା।  ଅବକାରୀ ବିଭାଗ କର୍ମଚାରୀମାନେ ଉକ୍ତ ହୋଣ୍ଡା ସିଟି ଗାଡିକୁ ଗୋଡ଼ାଇ ଗୋଡ଼ାଇ କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ।

ସେହି କାର୍ ଭିତରେ ଥିବା ଗୁପ୍ତ ପେଡ଼ିକୁ ଖୋଲି ଦେଖିଲା ବେଳକୁ ପ୍ରଚୁର ପରିମାଣର ଗଞେଇ ଭର୍ତ୍ତି ଥିଲା। ତତକ୍ଷଣାତ୍ କର୍ମଚାରୀମାନେ କାର୍ ଚାଳକ ତଥା ଚାଲାଣକାରୀ ବିହାର ରାଜ୍ୟର ପାଟନା ଜିଲ୍ଲା ରାମକୃଷ୍ଣନଗର ଥାନା ଜଗନପୁରା ଗ୍ରାମର ଧର୍ମେନ୍ଦ୍ର କୁମାର ରାଏକୁ ଜେରା ବେଳେ ସେ ଉକ୍ତ ଗଞେଇ ଗଜପତି ଜିଲ୍ଲାରୁ ଆଣି ନିଜ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗ କୁ ଚାଲାଣ କରୁଥିବା ପ୍ରକାଶ କରିଥିଲା।

ଅବକାରୀ ବିଭାଗ ଉକ୍ତ ଗଞେଇ, କାର୍ ଜବତ୍ କରିବା ସହ ଚାଲାଣକାରୀ ବିହାରୀ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Related posts