ପୋଲିସ ଉପରକୁ ବୋମାମାଡ ଘଟଣା: ଦୁଇ ମହିଳାଙ୍କ ସମେତ ୫ ଗିରଫ

Published: Mar 16, 2023, 2:27 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରେ ଗତ ମଙ୍ଗଳବାର ରାତିରେ ଏକ ବୋମାମାଡ ଘଟଣାର ସନ୍ଧାନ ପାଇଁ ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତିଙ୍କ ନେତୃତ୍ଵରେ ଏକ ଟିମ୍ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଗୋଟିଏ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ଘର ଭିତରୁ ପୋଲିସ ଉପରକୁ ବୋମା ମାଡ଼ ହୋଇଥିଲା ଓ ପୋଲିସ ଘରର ବାହାର ପଟୁ କବାଟ ପକାଇ ଦେବାରୁ ବୋମାମାଡରୁ ବର୍ତ୍ତି ଯାଇଥିଲେ। ପରେ ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ସଦର ପୋଲିସ ଓ ବଡ଼ବଜାର ପୋଲିସ ଉକ୍ତ ଘରକୁ ଜଗି ରହିଥିଲେ ଓ ଦୀର୍ଘ ସମୟ ପରେ ଉକ୍ତ ଘରୁ ଦୁଇ ମହିଳା ଙ୍କ ସହ ତିନି ଯୁବକ ଆତ୍ମସମର୍ପଣ କରିଥିଲେ।

ପରେ ଏସ୍ ପି ଡଃ ସର୍ବଣା ବିବେକ ଏମ୍, ଦୁଇ ଜଣ ଅତିରିକ୍ତ ଏସପି, ବଡ଼ବଜାର ଓ ସଦର ଥାନା ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ଘର ଭିତରକୁ ପ୍ରବେଶ କରି କିଛି ଗଞେଇ, ଗୋଟିଏ ବନ୍ଧୁକ ଓ ଦୁଇଟି ଖଣ୍ଡା ଜବତ କରି ଉକ୍ତ ଅସାମାଜିକ ଯୁବକ ଓ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଅନ୍ୟ ଏକ ଖବର ପାଇ ନିମଖଣ୍ଡି ଥାନା ଅଧିକାରୀ ଧଭାବାନନ୍ଦ ପ୍ରଧାନ କିଛି କର୍ମଚାରୀ ଙ୍କୁ ନେଇ ସେହି ଅଞ୍ଚଳର ଆଉ ଏକ ଘରେ ଚଢ଼ାଉ କରି ୨୫ କିଲୋ ଗଞ୍ଜେଇ ସହ ଗୋଟିଏ କାର୍ ଜବତ୍ କରିଛି ଓ ଉକ୍ତ ଘଟଣାରେ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Related posts