ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କଲା ବୁଗୁଡ଼ା ଥାନା ପୋଲିସ: ୫ ଗିରଫ, ମାରଣାସ୍ତ୍ର ଜବତ

Published: Jun 25, 2023, 9:14 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ଭୋର୍ ସକାଳୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ନିକଟସ୍ଥ ପୋଚାଲୁଣ୍ଡି ଗାଁ ଛକରେ ଅଚାନକ ଚଢ଼ାଉ କରି ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଘଟଣାସ୍ଥଳରୁ ୫ ଜଣ ଡକାୟତ ଯଥା କୁନା ବାରିକ, ନାରାୟଣ ବେହେରା, ସନିଆ ନାଇକ, ହାଡ଼ୁ ରଣା ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାଲାସା ଥାନା ଅନ୍ତର୍ଗତ ନେହେରୁ ନଗର ଅଞ୍ଚଳର ତିରୁମାଲା ପାତ୍ରକୁ ପୋଲିସ ଉଠାଇ ଆଣି ଏତଲା ନଂ ୪୪୭/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ଏତଦବ୍ୟତୀତ ଘଟଣାସ୍ଥଳରୁ ୩ଟି ପିସ୍ତଲ୍,୧୦ ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ଦୁଇଟି ମୋଟରସାଇକେଲ, ୬ ଟି ମୋବାଇଲ ଫୋନ,୧୩୦ ଗ୍ରାମ ସୁନା, ନଗଦ ଏକ ଲକ୍ଷ ୨୨ ହଜାର ଟଙ୍କା ସମେତ ଏକ ପ୍ୟାକେଟ୍ ମରିଚ ଗୁଣ୍ଡ ପୋଲିସ ଜବତ କରିଛି। ଅଭିଯୁକ୍ତ କୁନା ବାରିକ ନାମରେ ଆଗରୁ ୧୪ ଟି ମକଦ୍ଦମା ବିଭିନ୍ନ ଥାନାରେ ରହିଛି ବୋଲି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ବଡ଼ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୁଚନା ଯୋଗ୍ୟ ଯେ, ଏହି ଅଭିଯୁକ୍ତ ମାନେ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସୁନା ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ଅତିରିକ୍ତ ଏସପି ସୁଚନା ପ୍ରଦାନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Related posts