ଗୁଜୁରାଟରୁ ୫୦୦୦ କୋଟି ଟଙ୍କାର କୋକେନ ଜବତ କଲା ଦିଲ୍ଲୀ ପୋଲିସ

Published: Oct 14, 2024, 12:07 pm IST

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ପୋଲିସ୍ ଏବଂ ଗୁଜୁରାଟ ପୋଲିସର ସ୍ୱତନ୍ତ୍ର ସେଲ୍ ଗୁଜୁରାଟରୁ ୫୧୮ କିଲୋଗ୍ରାମ କୋକେନ ଜବତ କରିଛି। ସୂତ୍ରରୁ ପ୍ରକାଶ ଯେ, ମିଳିତ ଅପରେସନ୍ ବେଳେ ଗତକାଲି ଗୁଜରାଟର ଆଙ୍କଲେଶ୍ୱରର ଆଭାର୍ ଡ୍ରଗ୍ସ ଲିମିଟେଡ୍ କମ୍ପାନୀରୁ ଏହି କୋକେନ୍ ଉଦ୍ଧାର କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ଏହାପୂର୍ବରୁ, ଚଳିତ ମାସ ୧ ତାରିଖ ଦିନ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ମହିପାଲପୁରର ଏକ ଗୋଦାମ ଉପରେ ଚଢାଉ କରି ୫୬୨ କିଲୋଗ୍ରାମ କୋକେନ୍ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାର ଅନୁସନ୍ଧାନ ବେଳେ ୧୦ ଅକ୍ଟୋବରରେ ଦିଲ୍ଲୀର ରମେଶ ନାଗର ଅଞ୍ଚଳର ଏକ ଦୋକାନରୁ ପ୍ରାୟ ୨୦୮ କିଲୋଗ୍ରାମ କୋକେନ ଉଦ୍ଧାର କରାଯାଇଥିଲା।

ପଚରାଉଚରା ବେଳେ ଜଣାପଡିଥିଲା ​​ଯେ ଉଦ୍ଧାର ହୋଇଥିବା ନିଶା ଦ୍ରବ୍ୟ ଫାର୍ମା ସଲ୍ୟୁସନ୍ ସର୍ଭିସେସ୍ ନାମକ ଏକ କମ୍ପାନୀର ଅଟେ ଏବଂ ଗୁଜୁରାଟର ଆଙ୍କଲେଶ୍ୱରସ୍ଥିତ ଆଭାର ଡ୍ରଗ୍ସ ଲିମିଟେଡରୁ ଆସିଛି। ଏ ନେଇ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି।

Related posts