ରକ୍ଷକ ସାଜିଲା ଭକ୍ଷକ: ବେଗୁନିଆ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ କଲେ ଅବକାରୀ କମିଶନର

Published: Nov 27, 2024, 8:42 pm IST

ଖୋର୍ଦ୍ଧା: ରକ୍ଷକ ସାଜିଲା ଭକ୍ଷକ। ଅବକାରୀ ବିଭାଗ ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ବୃଦ୍ଧି ପାଉଥିବା ଚୋରା ଦେଶୀ ରନ୍ଧା ମଦ, ଗଞ୍ଜେଇ ଏବଂ ବ୍ରାଉନସୁଗାର ପରି ନିଶାଦ୍ରବ୍ୟ କରବାରରେ ରୋକ ଲଗାଇବା ପାଇଁ ଅବକାରୀ କାର୍ଯ୍ୟାଳୟମାନ ଖୋଲା ଯାଇଛି। ଏଥିରେ ବିଭିନ୍ନ ଅବକାରୀ କର୍ମଚାରୀମାନେ ନିଯୁକ୍ତି ପାଇଛନ୍ତି। କିନ୍ତୁ ବାଡ ଫସଲ ଖାଇବା ଭଳି ଘଟଣା ଦେଖିବାକୁ ମିଳିଛି। ଘଟଣାକୁ ଗୁରୁତର ଭାବେ ନେଇ ଅବକାରୀ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଗୁନିଆ ଅବକାରୀ ଥାନା ଅଧିକାରୀଙ୍କୁ ନିଲମ୍ବନ କରିବା ଦୁଇ ଉପ ନିରୀକ୍ଷକ ଓ ଦୁଇ କନେଷ୍ଟବଳଙ୍କୁ ଅନ୍ଯତ୍ର ବଦଳି କରିଥିବା ଜଣାପଡିଛି।

ତେବେ ସୂଚନା ଅନୁଯାୟୀ ଗତ ୨୧ ନଭେମ୍ବର ୨୦୨୪ରେ ବିଶେଷ ସୂତ୍ରରୁ ଖବର ପାଇ ବୋଲଗଡ଼ ବ୍ଲକ ଅଧୀନ ଭୀମପଡା ବଜାର ସାହିରେ ବେଗୁନିଆ ଅବକାରୀ ଥାନା ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ଗଜେଂଇ ସହ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲେ। କିନ୍ତୁ ଏହାକୁ ସିଜରରେ ନଦେଖାଇ ଆତ୍ମସାତ କରିଥିଲେ। ଘଟଣା ସଂପର୍କରେ ଜଣେ ବ୍ଯକ୍ତି ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅବକାରୀ କମିଶନର ଘଟଣାକୁ ଗୁରୁତ୍ବ ଦେଇ ପ୍ରାଥମିକ ତଦନ୍ତ କରି ଘଟଣାରେ ବେଗୁନିଆ ଅବକାରୀ ଅଧିକାରୀ ସ୍ମିତା ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ଦୁଇ ଉପନିରୀକ୍ଷକ ବିରଞ୍ଚି ନାରାୟଣ ମହାନ୍ତି ଏବଂ ମିନକେତନ ମହାଳିକ ଙ୍କୁ ଅନ୍ଯନ୍ତ ବଦଳି କରିଛନ୍ତି।

ସେହିପରି ଦୁଇ କନେଷ୍ଟବଳ ବିକାଶ ଚନ୍ଦ୍ର ରାଉତ ଓ ମନୋଜ କୁମାର ଜୟସିଂହଙ୍କୁ ମଧ୍ଯ ଅନ୍ଯନ୍ତ ବଦଳି କରାଯାଇଥିବା ଜଣାପଡିଛି। ତେବେ ସଦରରେଞ୍ଜ ରାଜେନ୍ଦ୍ର ଖେସଙ୍କୁ ବେଗୁନିଆ ଅବକାରୀ କାର୍ଯ୍ୟାଳୟ ଦାୟିତ୍ୱ ଦିଆଯାଇଥିବା ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି।

Related posts