
ରେଢ଼ାଖୋଲ (କନ୍ଦର୍ପ ବେହେରା ): ପାରିବାରିକ ଶତ୍ରୁତାରୁ ସମୁଦୀ ସମୁଦୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ ଆଜି ସ୍ପଷ୍ଟ ଦିବା ଲୋକରେ ଏଭଳି ଘଟଣା ଘଟିଛି।
ସୂଚନା ଅନୁସାରେ ଗତ ପ୍ରାୟ ଚାରି ବର୍ଷ ତଳେ ଗଞ୍ଜାବାହାଲ ଗ୍ରାମର ମୁରଲୀଧର ଧଳଙ୍କ ପୁଅ କେଲୋ ଗ୍ରାମର ଗିରିଧାରୀ ସାହୁଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଗିରିଧାରୀ ସେହି ସମୟରେ ବିରୋଧ କରିଥିଲେ। ଏପରିକି ବିବାହ ପରେ ଗିରିଧାରୀ ସମୁଦୀ ମୁରଲୀଧରଙ୍କୁ ବିଭିନ୍ନ ସମୟରେ ଜୀବନରେ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲେ।
ଆଜି ମଧ୍ୟାହ୍ନ ପ୍ରାୟ ବାରଟା ସମୟରେ ମୁରଲୀଧର ଧଳ ନିଜ ବାଇକରେ ଏକାକୀ କଞ୍ଚନପୁର ପଟରୁ ଘରକୁ ଫେରୁଥିବା ବେଳେ ନୂତନ ଗଞ୍ଜାବାହାଲ ପ୍ରାଥମିକ ସ୍କୁଲ ସମ୍ମୁଖରେ ପୂର୍ବରୁ ଛକି ରହିଥିବା ଗିରିଧାରୀ ଟାଙ୍ଗିଆରେ ମୁରଲୀଧର ଧଳଙ୍କ ଉପରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲେ। ଫଳରେ ମୁରଲୀଧରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଖବର ପାଇ କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ହତ୍ୟାକାରୀ ଗିରିଧାରୀ ସାହୁକୁ ତାଙ୍କ ଘରୁ ଆଣି ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି। କିଛି ବର୍ଷ ହେଲା ଉଭୟ ପରିବାର ମଧ୍ୟରେ ତିକ୍ତତା ରହିଥିଲା ବୋଲି ଅନୁସନ୍ଧାନ ରୁ ଜଣାପଡିଛି।
ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ୨୦/୨୦୨୫ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଶବକୁ ରେଢ଼ାଖୋଲ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ପ୍ରକାଶ କରିଛି।