
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳର ମନୋଜ ନାୟକ ନାମକ ଜଣେ ଯୁବକକୁ ନାବାଳିକା ଦୁଷ୍କର୍ମ ମାମଲାରେ ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ଗଣେଶ୍ୱର ପତି ୪ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ପାଇଁ ଜଜ୍ ମହାଶୟ ରାୟ ପ୍ରକାଶ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତ ୨୦୨୧ ଅଗଷ୍ଟ ମାସରେ ଅଭିଯୁକ୍ତ ମନୋଜ ଜନୈକା ନାବାଳିକାକୁ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାନ୍ୟବର ଅଦାଲତ ୮ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ଓ ଅନ୍ୟ ପକ୍ଷରେ ପୀଡିତା ନାବାଳିକାକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।