କିନ୍ନର ଆତ୍ମହତ୍ୟା ମାମଲା: ପ୍ରେମିକ ଗିରଫ

Published: Apr 17, 2025, 11:50 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ଫାସିଗୁଡା ବସା ଘରେ ଗତ ଶନିବାର ଭୋର୍ ସକାଳେ ଅଜିତ ବିଷୋୟୀ ନାମକ ଜଣେ କିନ୍ନର ଆତ୍ମହତ୍ୟା କରିଥିଲେ। ଏହି ବିଷୟରେ କିନ୍ନର ଅଜିତଙ୍କ ବାପା ନିଜ ସନ୍ତାନର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରି ଦିଗପହଣ୍ଡି ଥାନାରେ ଏକ ମାମଲା ରୁଜୁ କରିଥିଲେ।

ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଅଭିଯୋଗ ଗ୍ରହଣ କରି ମାମଲାର ତଦନ୍ତ କରି ଜାଣିବାକୁ ପାଇଲେ ଯେ, ମୃତ କିନ୍ନର ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଘଟଣାର ତଦନ୍ତ ଆଧାରରେ ଜଣାପଡିଛି ଯେ, ମୃତ କିନ୍ନର ଓ ଦିଗପହଣ୍ଡି କାଳିଆ ନଗର ବାସିନ୍ଦା ଉମେଶ ମହାରଣା ଓରଫ୍ ବବୁଲ୍ ସହ ପ୍ରେମ ସମ୍ପର୍କ ରହିଥିଲା ଓ ଉଭୟେ ବ୍ରହ୍ମପୁର ଗାନ୍ଧୀନଗର ୧୦ ଗଳିରେ ଏକ ଭଡ଼ା ଘରେ ରହୁଥିଲେ। ଉଭୟେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ଅର୍ଥ ରୋଜଗାର କରୁଥିଲେ।

କିନ୍ତୁ ବାବୁଲ୍ ର ଅର୍ଥ ଅଭାବ ପାଇଁ ମୃତ କିନ୍ନର ସହ ତା’ର ଅନେକ ଥର ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଭଳି ବାରମ୍ବାର ଅର୍ଥ ଜନିତ ଆକ୍ରମଣର ଶୀକାର ହୋଇ ଅଜିତ୍ ଶେଷରେ ଏହି ଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଗଭୀର ଅନୁସନ୍ଧାନରୁ ଜଣାପଡିବା ପରେ ଦିଗପହଣ୍ଡି ଥାନା ପୋଲିସ୍ ଅଭିଯୁକ୍ତ ବବୁଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts