ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଦନ୍ତାରିବଗଡ ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ବାପା ମା’ ଙ୍କ ଭତ୍ତା ଟଙ୍କା ଓ ଚାଷ ଜମିକୁ ନେଇ ଲକ୍ଷ୍ମୀ ବରାଡ ନାମ୍ନୀ ଜଣେ ବୃଦ୍ଧାଙ୍କୁ ପୁଅ ଓ ବୋହୁ ତଣ୍ଟିଚିପି ହତ୍ୟା କରିଛନ୍ତି। ଏନେଇ ମୃତା ମହିଳାଙ୍କ ସମ୍ପର୍କିୟମାନେ ଅଭିଯୋଗ କରିଛନ୍ତି। ଅଞ୍ଚଳ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳିଛି ଯେ, ମୃତା ମହିଳାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ସାନ ପୁଅ ଘରର କିଛି ଜମି ଓ ବାପା ମାଙ୍କ ଭତା ଟଙ୍କାକୁ ନେଇ ପ୍ରାୟ ଦିନ ପାଟିତୁଣ୍ଡ କରୁଥିଲେ ଓ ବାପା ମାଙ୍କୁ ମାରଧର କରୁଥିଲେ।
କିନ୍ତୁ ଆଜି ସକାଳ ୧୦ ଟା ବେଳେ ମା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସମ୍ପର୍କୀୟ ଲୋକ ଚିକିତ୍ସା ପାଇଁ ଆସ୍କା ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆସ୍କା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।