ବାଣପୁର: ସମ୍ପ୍ରତି ପାର୍ବଣ ଋତୁ ଆସିଯାଇଥିବାବେଳେ ବଜାରରେ ବିଭିନ୍ନ ପ୍ରକାର ଅପମିଶ୍ରିତ ଖାଦ୍ୟ ପଦାର୍ଥ ତଥା ଅପମିଶ୍ରିତ ବ୍ୟବହୃତ ସାମଗ୍ରୀ ବିକ୍ରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନୁରୂପ ଭାବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ମଧ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବଜାରରେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବିଭିନ୍ନ ତେଜରାତି ଦୋକାନ ଓ ଅନ୍ୟ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବାଣପୁର ଥାନା ନିକଟସ୍ଥ ତଳସାହିର ଜନୈକ ତେଜରାତି ଦୋକନରେ ନକଲି ତଥା ଅପମିଶ୍ରିତ ଘିଅ ବିକ୍ରି ଅଭିଯୋଗରେ ବିଭିନ୍ନ କମ୍ପାନୀର ଘିଅର ନମୁନା ପରୀକ୍ଷା ପାଇଁ ନିଆଯାଇଥିବା ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି।
ଅନୁରୂପ ଭାବେ ଉକ୍ତ ତେଜରାତି ଦୋକାନର ଫୁଡ ଲାଇସେନ୍ସ ନଥିବା ପ୍ରକାଶ। ଏ ନେଇ ଅଧିକାରୀ ଶ୍ରୀ ବଳ ସମ୍ପୃକ୍ତ ଦୋକାନୀଙ୍କୁ ତାଗିଦ କରିବା ସହ ଫୁଡ ଲାଇସେନ୍ସ କରିବାକୁ ନୋଟିସ ଦେଇଛନ୍ତି ଏବଂ ବିଭିନ୍ନ ଘିଅର କ୍ରୟଜନିତ କାଗଜପତ୍ର କାର୍ଯ୍ୟାଳୟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ପଲଟନ ପଡିଆ ଏବଂ ତହସିଲ ରୋଡ ର ୩ ଗୋଟି ତେଜରାତି ଦୋକାନରେ ମଧ୍ୟ ଚଢ଼ାଉ କରାଯାଇ ବିଭିନ୍ନ କମ୍ପାନୀର ତେଲ ଓ ଘିଅର ନମୁନା ପରୀକ୍ଷା ପାଇଁ ନିଆଯାଇଥିବା ପ୍ରକାଶ। ତେବେ ଏହି ଚଢ଼ାଉ ନିୟମିତ ଭାବେ ଜାରି ରହିବ ବୋଲି ଜଣାପଡିଛି।