ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ନରେନ୍ଦ୍ରପୁର ଗ୍ରାମରେ ୨୦୨୦ ମସିହାରେ ଘଟିଥିବା ଏକ ଯୌତୁକ ଜନିତ ହତ୍ୟାକାଣ୍ଡର ଆଜି ଶେଷ ଶୁଣାଣି କରି ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ (ଏଡିଜେ-୧) ରଞ୍ଜୁଲତା ଲେଙ୍କା ବାଣପୁର ସର୍କିଟ କୋର୍ଟ ଠାରେ ଅଭିଯୁକ୍ତ ସ୍ୱାମୀଙ୍କୁ ବିଭିନ୍ନ ଦଫାରେ ଆଜୀବନ କାରାଦଣ୍ଡ ସହ ଜରିମାନା ଧାର୍ଯ୍ୟ କରିଛନ୍ତି। ପ୍ରକାଶ ଥାଉ କି ଭୀମପୁର ବାଘୁଆପଦର ସାହିର ବୀରଭଦ୍ର ଲେଙ୍କାଙ୍କ ଝିଅ ରଶ୍ମିତା (ମୃତ) ନରେନ୍ଦ୍ରପୁର ଗ୍ରାମର ତପନ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ବିବାହ ପରଠାରୁ ତପନ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ସର୍ବଦା ମାରପିଟ କରୁଥିଲେ।
୨୦୨୦ ମସିହା ଜୁଲାଇ ୧୨ ତାରିଖରେ ଝିଅକୁ ଅଧିକ ଯୌତୁକ ଦାବିକରି ପିଟିପିଟି ହତ୍ୟା କରିଥିବା ଖବର ପାଇଲା ପରେ ଝିଅର ମା’ ବାଣପୁର ଥାନାରେ ଅଭିଯୋଗ କରିଥିଲେ। କେସ ନମ୍ବର ୨୨୯/୨୦ରେ ମାମଲା ଦାୟର କରି ବାଣପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସମୁଦାୟ ୨୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ତପନଙ୍କୁ ମାନ୍ୟବର ଅଦାଲତ ଆଜି ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ସରକାରୀ ଓକିଲ ରଜନୀକାନ୍ତ ପଟ୍ଟନାୟକ ଉକ୍ତ ମାମଲାକୁ ପରିଚାଳନା କରୁଥିଲେ।


