ଭୁବନେଶ୍ଵର: ବୌଦ୍ଧ ଜିଲ୍ଲା ପୋଲିସ, ମାଲକାନଗିରି ଜିଲ୍ଲା ପୋଲିସ ଓ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ନିଶା କାରବାର ବିରୋଧରେ ଅଭିଯାନକୁ ଜୋରଦାର କରାଯାଇଛି। ସୂଚନା ଅନୁଯାୟୀ ମାର୍ଚ୍ଚ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ସର୍ବମୋଟ ୨ ହଜାର ୮୬୮ କେଜି ଗଞ୍ଜେଇ ଜବତ କରାଯାଇଛି।
ଏହି କ୍ରମରେ ବୌଦ୍ଧ ଜିଲ୍ଲା ପୋଲିସ କଣ୍ଟାମାଳ ଥାନା ଏବଂ ମଡେଲ ଥାନା ଅଞ୍ଚଳରେ ଚଢ଼ାଉ କରି ମୋଟ ୧୬୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।
ଆଜି ଗଜପତି ଜିଲ୍ଲା ପୋଲିସ ଅଡବା ଥାନା ଅନ୍ତର୍ଗତ ରାଜପୁର ଏବଂ ମୋହନାଗୁଡ଼ି ଗ୍ରାମରେ ଚଢ଼ାଉ କରି ମୋଟ ୭୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହା ସହିତ ବିଭିନ୍ନ ମାମଲାରେ ଗାଡ଼ି ଏବଂ ମୋବାଇଲ୍ ଫୋନ୍ ଜବତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।
ସେହିପରି ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଥାନା, ଓରକେଲ ଥାନା ଓ କାଲିମେଳା ଥାନା ଅଞ୍ଚଳରେ ଚଢାଉ କରି ମୋଟ ୫୪୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି।ଏଥିସହିତ ପୋଲିସ ପ୍ରଶାସନ ପକ୍ଷରୁ ୮ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ନଷ୍ଟ କରାଯାଇଛି।


