ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ମାମଲାରେ କଳାରାହାଙ୍ଗର ସୁବାସ ଭୋଇଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଗତ ମେ ୭ ତାରିଖରେ ଗାଡ଼ି ଦୁର୍ଘଟଣା ଏବଂ ଜଣେ ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ସୌମ୍ୟଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।
ଆରମ୍ଭରୁ ହିଁ ସୌମ୍ୟଙ୍କ ପରିବାର ଏହି ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଆସୁଛନ୍ତି। ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ର ତଦନ୍ତକାରୀ ଦଳ ସମ୍ମୁଖରେ ସୌମ୍ୟଙ୍କ ମାଆ ପୁଅଙ୍କୁ ଦିଆଯାଇଥିବା ନିର୍ଯାତନା ଓ ହତ୍ୟା ସମ୍ପର୍କରେ ବିସ୍ତୃତ ବୟାନ ରଖିଥିଲେ।
ଏହି ବହୁଚର୍ଚ୍ଚିତ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗକୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଆଗାମୀ ଦିନରେ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଗିରଫଦାରୀ ସାମ୍ନାକୁ ଆସିପାରେ।


