ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ଲରମ୍ଭା ଥାନା ଅନ୍ତର୍ଗତ ଗୋଇଲପିଟା ଗାଁରୁ ସାମ୍ନାକୁ ଆସିଛି ଏକ ବଡ଼ ବ୍ୟାଙ୍କ ଠକେଇ ଅଭିଯୋଗ। ଜାଲ୍ ଦସ୍ତଖତ କରି ଚେକ୍ ବ୍ୟବହାର କରାଯାଇ ଏନଇଏଫଟି (NEFT) ମାଧ୍ୟମରେ ଜଣେ ଚାଷୀଙ୍କ ବ୍ୟାଙ୍କ ଖାତାରୁ ୫ ଲକ୍ଷ ୧୪ ହଜାର ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି।
ଗୋଇଲପିଟା ଗାଁର ପାଳ ଦଣ୍ଡସେନାଙ୍କ ନାମରେ ପାଟଣାଗଡ଼ସ୍ଥିତ ୟୁନିଅନ ବ୍ୟାଙ୍କରେ ଏକ ଖାତା ରହିଛି। ସୂଚନା ଅନୁସାରେ, ଗତବର୍ଷ ଦଲଦଲି ଗାଁର ଉପେନ୍ଦ୍ର ମେହେର ତାଙ୍କୁ ବ୍ୟାଙ୍କ ଖାତା ଖୋଲିବା ସମ୍ବନ୍ଧୀୟ କାଗଜପତ୍ର କାମରେ ସହଯୋଗ କରିଥିଲେ। ପରେ ସେହି ଖାତାରେ କୃଷି ବୀମା ବାବଦରେ ଟଙ୍କା ଜମା ହୋଇଥିଲା।
କିନ୍ତୁ ନିକଟରେ ଖାତାରୁ ଏନଇଏଫଟି ଜରିଆରେ ୫ ଲକ୍ଷ ୧୪ ହଜାର ଟଙ୍କା ସ୍ଥାନାନ୍ତର ହୋଇଥିବା ଜାଣିବା ପରେ ପାଳ ଦଣ୍ଡସେନା ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ବ୍ୟାଙ୍କରେ ଯାଇ ଖୋଜଖବର ନେବା ପରେ ଏହି ଟଙ୍କା ତୁଷରା ଅଞ୍ଚଳର ରାଜୀବ ମେହେରଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।
ଘଟଣାକୁ ନେଇ ପାଳ ଦଣ୍ଡସେନା ଥାନାରେ ଏତଲା ଦେବା ସହ ଲୁଟ୍ ହୋଇଥିବା ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।


