ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଜେଲରୁ ମୁକୁଳିବା ମାତ୍ରେ ପୁଣି ଥରେ ଗିରଫ ହୋଇଛନ୍ତି। ରାମପୁର ଜେଲ ବାହାରେ ହିଁ ED ଟିମ୍ ତାଙ୍କୁ ଅରେଷ୍ଟ କରିଛି। ପାରା ମିଲିଟାରୀ ଫୋର୍ସ ସହ ୩ଟି ଗାଡିରେ ED ଟିମ୍ ଜେଲ ବାହାରେ ଅପେକ୍ଷା କରିଥିଲା।
୨୦୧୯ ମସିହା ମନି ଲଣ୍ଡରିଂ ମାମଲାରେ ED ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲା ରାମପୁରରେ ଥିବା ମୌଲାନା ମହମ୍ମଦ ଅଲୀ ଜୌହର ଟ୍ରଷ୍ଟ ଏବଂ ମହମ୍ମଦ ଅଲୀ ଜୌହର ୟୁନିଭରସିଟି ସହ ଜଡିତ ଆର୍ଥିକ ଅନିୟମିତତା, ଦୁର୍ନୀତି ଏବଂ ଜମି ହଡପ ଅଭିଯୋଗ ସହ ଜଡିତ। ଏହା ପୂର୍ବରୁ ଅକ୍ଟୋବର ୨୮ରେ ED ଜୌହର ୟୁନିଭରସିଟିର ୪୦୦ କୋଟିରୁ ଅଧିକ ମୂଲ୍ୟର ଜମି ଓ କୋଠାକୁ ଅସ୍ଥାୟୀ ଭାବେ ଜବତ କରିଥିଲା।
ଜେଲରୁ ବାହାରି ହେପାଜତକୁ ଯିବା ପୂର୍ବରୁ ଆଜମ ଖାନ ଗଣମାଧ୍ୟମକୁ କହିଛନ୍ତି ଯେ, “ଏବେ କହିବାକୁ ବାକି କ’ଣ ଅଛି? ଆଇନ ଯେମିତି ସରିଗଲାଣି। ମୁସଲମାନ ହେବାର ଏହା କ’ଣ ଦଣ୍ଡ?” ସେ ଆହୁରି କହିଛନ୍ତି ଯେ, “ଆମର ଭୁଲ୍ କେବଳ ଏତିକି ଯେ, ଜଣେ ମୁସଲମାନ ୟୁନିଭରସିଟି ତିଆରି କଲା। ପିଲାମାନଙ୍କ ପାଇଁ ସ୍କୁଲ ବନାଇଲୁ, ଏହା କ’ଣ ଆମର ଅପରାଧ?”
ସୂଚନା ଥାଉ କି, ଇଲାହାବାଦ ହାଇକୋର୍ଟ ଦୁଇ ପାନ କାର୍ଡ ମାମଲାରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ଆଶ୍ଵସ୍ତି ଦେଇଥିଲେ। କୋର୍ଟ ତାଙ୍କ ଦୋଷସିଦ୍ଧି ଉପରେ ରୋକ ଲଗାଇ ଜାମିନ ଦେଇଥିଲେ, କିନ୍ତୁ ଜେଲରୁ ବାହାରିବା ମାତ୍ରେ ED ପୁଣି ଗିରଫ କରିଛି।


