ସାଗର ତ୍ରିପଲ୍‌ ମର୍ଡର କେସ୍‌ : ଟଙ୍କା ପାଇଁ ମା’-ବାପା ଭାଇର ହତ୍ୟା କରିଥିଲା ନାବାଳକ

Published: Jan 31, 2020, 3:11 pm IST

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଚର୍ଚ୍ଚିତ ତ୍ରିପଲ୍‌ ମର୍ଡର କେସ୍‌ର ପର୍ଦ୍ଦାଫାସ ହୋଇଛି । ଜାନୁଆରୀ 24 ତାରିଖରେ ଘଟିଥିବା ଏହି ଘଟଣାରେ ବାପା-ମା‘ଙ୍କ ସମେତ ସାନ ପୁଅର ହତ୍ୟା ହୋଇଥିଲା । 12 ବର୍ଷୀୟ ନାବାଳକ ଜଣକ ଏହି ଘଟଣା ଘଟାଇଥିଲେ । ନାବାଳକ ଜଣକ ସାମାନ୍ୟ କେତୋଟି ଟଙ୍କା ପାଇଁ ନିଜ ରକ୍ତ ସମ୍ପର୍କକୁ ତୁଚ୍ଛ କରି ଏଭଳି କାଣ୍ଡ ଘଟାଇଥିବାର ପୋଲିସ୍‌ ସ୍ପଷ୍ଟ କରିଛି । ଘଟଣାଦିନ ମା’ଙ୍କୁ 1500ଟଙ୍କା ମାଗିଥିବାବେଳେ ମା’ ଦେବାକୁ ମନା କରିଥିଲେ । ଏହାପରେ ମା’ଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ରାଗରେ ସେ ତାଙ୍କ ମା’ଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଦେଲେ । ଏହାର କିଛି ସମୟ ପରେ ତାଙ୍କ ବାପା ଯେତେବେଳେ ଘରେ ପହଞ୍ଚିଲେ, ସେ ତାଙ୍କ ପିତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ନାବାଳକଙ୍କ ପିତା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଘରେ ତାଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଥିବାବେଳେ ନାବାଳକ ଜଣକ ଟିଭି ସାଉଣ୍ଡ ବଢାଇ ତାଙ୍କ ବାପାଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେତେବେଳେ ତାଙ୍କର ସାନ ଭାଇ ଘରେ ପହଞ୍ଚିଲେ, ସେ ତାଙ୍କୁ ସମସ୍ତ ଘଟଣା କହିଲେ, ସାନ ଭାଇ ସବୁ ଜାଣିସାରିବା ପରେ ଯେତେବେଳେ କାନ୍ଦିବା ଆରମ୍ଭ କଲେ, ରାଗରେ ତାଙ୍କ ସାନଭାଇଙ୍କ ଗଳା ଚିପି ମଧ୍ୟ ତାକୁ ହତ୍ୟା କରିଦେଇଥିଲେ ନାବାଳକଜଣକ ।

ହତ୍ୟା ପରେ ବି ସେ ଘରେ ପ୍ରାୟ ଚାରିଦିନ ପର୍ଯ୍ୟନ୍ତ ରହୁଥିଲେ, କିନ୍ତୁ ରାତ୍ରି ସମୟରେ ସେ ତାଙ୍କ ବନ୍ଧୁଙ୍କ ଘରେ ରହୁଥିଲେ । ତା’ ପରଦିନ ଅର୍ଥାତ୍‌ 25 ତାରିଖ ଦିନ ସ୍କୁଲର ବିଦାୟକାଳୀନ ଉତ୍ସବରେ ସେ ଖୁସିରେ ସାମିଲ୍‌ ହେବା ସହିତ ସାଙ୍ଗମାନଙ୍କ ସହ ଫଟୋଶୁଟ୍‌ ମଧ୍ୟ କରିଥିଲେ । ଏହି ସମୟରେ ସେ ପାଞ୍ଚ ହଜାର ଟଙ୍କାର ପୋଷାକ ପିନ୍ଧିଥିବାର ଜଣାପଡିଥିଲା । ଏତଦ୍‌ବ୍ୟତୀତ ଜାନୁଆରୀ 26 ସାଧାରଣତନ୍ତ୍ର ଉତ୍ସବରେ ମଧ୍ୟ ସାମିଲ୍‌ ରହିଥିଲା ।  ଘଟଣା ଘଟିବାର ଚାରି ଦିନ ପରେ ଅର୍ଥାତ୍‌ ଜାନୁଆରୀ 28 ତାରିଖରେ  ବନ୍ଦ ଘରୁ ପଚା ଗନ୍ଧ ଆସୁଥିବାର ଜାଣି ଜଣେ ପଡୋଶୀ ପୋଲିସ୍‌ରେ ଖବର ଦେଇଥିଲେ । ପୋଲିସ୍‌ ତାଲା ଭାଙ୍ଗି ଘରେ ପ୍ରବେଶ କରି  ତିନିଜଣଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା । ପରେ ଘଟଣାର ତଦନ୍ତ ଚଳାଇଥିଲା ।  ଘଟଣାର ଯାଞ୍ଚ ପରେ ଘରର ବଡପୁଅ ଅର୍ଥାତ୍‌ ଅଭିଯୁକ୍ତ ନାବାଳକ ଜଣକ ଘରୁ ଫେରାର ରହିଥିବାର ଜଣାପଡିଥିଲା । ପୋଲିସ୍‌ ନାବାଳକ ଜଣଙ୍କୁ ଅଟକ ରଖିବା ସହିତ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲେ । ପରିଶେଷରେ ନାବାଳକ ଜଣକ ନିଜ ଅପରାଧର ବୟାନ କରିଥିଲେ। ମାତ୍ର 1500ଟଙ୍କା ପାଇଁ ପୂରା ପରିବାରକୁ ଶେଷ କରିଦେଇଛନ୍ତି ନାବାଳକଜଣକ । ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହିତ ଅଭିଯୁକ୍ତ ଜଣକ କୁସଙ୍ଗରେ ପଡିବା ସହିତ ନିଶା ସେବନ କରୁଥିଲା ବୋଲି ସୂଚନା ଦେଇଛି। ପୋଲିସ୍‌ ନାବାଳକଙ୍କୁ ଗିରଫ କରିଛି । (ଏଜେନ୍ସି)

Related posts