ବାଣପୁରରେ ନାବାଳକକୁ ଯୌନ ନିର୍ଯାତନା

Published: Feb 1, 2020, 8:37 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରରେ ଏକ ନାବାଳକ ଯୌନ ନିର୍ଯାତନ ଘଟଣା ସାମ୍ନାକୁ ଆସିଛି। ନାବାଳକ ଜଣକ ଗୁରୁତର ଭାବରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି। ବାଣପୁର ଗାଁର ଦୁଇ ଜଣ ନାବାଳକ ଉକ୍ତ ନାବାଳକକୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କ ବୟସ ୧୪ ଏବଂ ୧୬ ବର୍ଷ ବୋଲି ଜଣାପଡିଛି। ଅଭିଯୋଗ ପରେ ବାଣପୁର ପୋଲିସ୍‌ କେସ୍‌ ନମ୍ବର ୩୮/୨୦ ଅନୁସାରେ ମାମଲାର ତଦନ୍ତ କରିଥିଲେ। ପୋଲିସ ପକ୍ଷରୁ ଆଇପିସିର ଧାରା ୩୭୭, ୫୦୬, ୩୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ଦିଗବିଜୟ ବିଶ୍ବାଳ ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍‌ଆଇ ବିଶ୍ଵାଳ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ମାସ ହେବ ଧମକ ଚମକ ଦେଇ ନାବାଳକକୁ ଉଭୟ ଅଭିଯୁକ୍ତ ଅପ୍ରାକୃତିକ ଯୌନ ନିର୍ଯାତନା ଦେଉଥିଲେ। ନାବାଳକ ଜଣକ ଅସୁସ୍ଥ ରହିବା ତଥା ମାନସିକ ଅଶାନ୍ତି ମଧ୍ୟରେ ରହିବାରୁ ଗତକାଲି ଟାଙ୍ଗୀ ଡାକ୍ତରଖାନା ନିଆଯାଇଥିଲା। ଟାଙ୍ଗୀରୁ ଖୋର୍ଦ୍ଧା ଏବଂ ପରେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲକୁ ଆସିବା ପରେ ଏହି ଘଟଣା ସର୍ବସମ୍ମୁଖକୁ ଆସିଥିଲା।

 

Related posts