ମାଲିକାଣୀକୁ ବନ୍ଦୀ କରି ଘର ଲୁଟିଲା ଚାକର

Published: Mar 7, 2020, 12:45 pm IST

ନୂଆଦିଲ୍ଲୀ : ଘରେ କେହି ଅଜଣା ଲୋକଙ୍କୁ ଘରର କାର୍ଯ୍ୟ ପାଇଁ ରଖିବା ପୂର୍ବରୁ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଗୁରୁଗ୍ରାମଠାରେ ଦିନ ଦ୍ବିପ୍ରହରରେ ଜଣେ ଚାକର ଦ୍ବାରା ଲୁଟର ଶିକାର ହୋଇଛନ୍ତି ଘର ମାଲିକ। ଗୁରୁଗ୍ରାମ ସେକ୍ଟର 45ରେ ଜଣେ ଚାକର ତା’ ବନ୍ଧୁମାନଙ୍କ ସହିତ ମିଶି ଘରର ବୃଦ୍ଧା ମାଲିକାଣୀ ଓ ତାଙ୍କ ନାତିକୁ ବନ୍ଦୀ ବନାଇ ଘରେ ରହିଥିବା କ୍ୟାସ୍‌, ସୁନା, ହୀରା ରୂପାର ଅଳଙ୍କାରମାନ ଚୋରି କରି ଫେରାର ହୋଇଯାଇଛି । ସୂଚନାଯୋଗ୍ୟ, ଘରର ମାଲିକ ଦିଲ୍ଲୀରେ ସୁନା-ରୂପାର କାମ କରନ୍ତି। ଘରେ ତାଙ୍କର ସୁନା, ରୂପା ଓ ହୀରାର ଗହଣାମାନ ରହିଥାଏ।

ଘରେ କାମ କରୁଥିବା ଜଣେ ଚାକର ନିଜ ସାଙ୍ଗମାନଙ୍କ ସହିତ ପ୍ରଥମେ ଘରର ବୃଦ୍ଧା ମାଲିକାଣୀ ଓ ତାଙ୍କ ନାତିଙ୍କ  ହାତ ଗୋଡକୁ ରଶିରେ ବାନ୍ଧି ବନ୍ଦୀ ବନାଇବା ସହିତ ଘରର ସବୁ ଟଙ୍କା ଓ ଅଳଙ୍କାର ଚୋରି କରିଛି। ପ୍ରାୟ 1 ଘଣ୍ଟାର କଡା ପରିଶ୍ରମ ପରେ ବୃଦ୍ଧା ଜଣକ ନିଜ ବନ୍ଦୀରୁ ମୁକୁଳି ଥିଲେ। ଏହାପରେ ସେ ତାଙ୍କ ସ୍ବାମୀଙ୍କୁ ଏହି ସମ୍ପର୍କରେ ଜଣାଇବା ସହିତ ପୋଲିସ୍‌କୁ ସୂଚନା ଦେଇଥିଲେ । ପୋଲିସ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛି। ତେବେ ଘରେ ରହିଥିବା ସିସିଟିଭି ଓ ଡିବିଆର ମଧ୍ୟ ଗାୟବ ରହିଥିବାର ପୋଲିସ୍‌ ସୂଚନା ଦେଇଛି।

ଘରେ କାହାକୁ ନିଯୁକ୍ତି ଦେବା ପୂର୍ବରୁ ପ୍ରଥେମ ତାଙ୍କର ଆଇଡି ପ୍ରଫୁ୍ ଓ ପୋଲିସ୍‌ ଭେରିଫିକେସନ୍‌ କରିବା ଜରୁରୀ। ଘର ମାଲିକ ଜଣକ ଚାକରର କୌଣସି ପ୍ରମାଣପତ୍ର ନ ରଖିଥିବାବେଳେ ଚାକର ବେଶରେ ଚୋର ଆସି ଘରେ କଳାକନା ବୁଲାଇ ଦେଇଛି।

Related posts