ମଦ ପାଇଁ ପଇସା ନଦେବାରୁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା

Published: May 5, 2020, 2:14 pm IST

ଲକ୍ଷ୍ନୌ : ଲକ୍‌ଡାଉନ୍‌ ପ୍ରଭାବରୁ ଘରୋଇ ହିଂସା ବଢୁଥିବାର ଏକ ଖବର ନିକଟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଜୋନ୍‌ପୁର୍‌ରେ । ମଦ ପିଇବାକୁ ପଇସା ନଦେବାରୁ ନିଜର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ଯୁବକ । ଗତକାଲି ଠାରୁ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତ ଦୀପକ ସିଂ ନିଜ ଗର୍ଭବତୀ ପତ୍ନୀ ନେହାଙ୍କୁ ମଦ ପିଇବା ପାଇଁ ପଇସା ମାଗିଥିଲେ । ମାତ୍ର ନେହା ପଇସା ନଦେବାରୁ ଉତ୍‌କ୍ଷିପ୍ତ ଦୀପକ ନିଜ 4 ବର୍ଷର ପୁଅ ସମ୍ମୁଖରେ ଗର୍ଭବତୀ ପତ୍ନୀଙ୍କୁ ଗୁଳି କରିଥିଲେ । ଗୁଳି ଶବ୍ଦ ଶୁଣି ପଡୋଶୀ ମାନେ ଆସି ନେହାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହତ୍ୟା କରିବା ପରେ ଦୀପକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୋଲିସ୍‌ ତାଙ୍କୁ ଗିରଫ କରିବା ସହିତ 4 ବର୍ଷର ପୁଅକୁ ଏକ ବୁଦା ମଧ୍ୟରୁ ଉଦ୍ଧାର କରିଛି । ଏହା ସହିତ ଆକ୍ରମଣରେ ବ୍ୟବହୃତ ଦେଶୀ ବନ୍ଧୁକକୁ ମଧ୍ୟ ପୋଲିସ୍‌ ଜବତ କରିଛି । (ଏଜେନ୍ସି)

Related posts