ପ୍ରେମ ବିବାହର ଚାରି ଦିନ ପରେ ନବଦମ୍ପତିଙ୍କ ଆତ୍ମହତ୍ୟା

Published: Jul 5, 2020, 10:12 am IST

ଗାଜିଆବାଦ : ପ୍ରେମ ବିବାହ କରି ସାରା ଜୀବନ ସହ ସାଥ୍‌ ଦେବା ପାଇଁ କଥା ଦେଇଥିବା ପ୍ରେମୀ ଯୁଗଳ ବିବାହର ମାତ୍ର ଚାରି ଦିନ ପରେ ଆତ୍ମହତ୍ୟା କରିଛନ୍ତି । ଉତ୍ତରପ୍ରେଦଶ ଗାଜିଆବାଦଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ଉତ୍ତରପ୍ରଦେଶର ଗାଜିଆବାଦ ଥାନା ଅନ୍ତର୍ଗତ କବୀନଗରରେ ନବବିବାହିତ ଦମ୍ପତି ଆତ୍ମହତ୍ୟା କରିଛନ୍ତି ।

ଚାରି ବର୍ଷର ପ୍ରେମ ସମ୍ପର୍କରେ ଥିବା ଏହି ଦମ୍ପତି ବିବାହର ମାତ୍ର ଚାରି ଦିନ ପରେ ଏପରି ଚରମ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ପଙ୍ଖାରେ ଝୁଲି  ଆତ୍ମହତ୍ୟା କରିଥିବାର ସୂଚନା ରହିଛି ।

ଗାଜିଆବାଦରେ ଏକ ଘରୋଇ ଟ୍ୟୁସନ ସଂସ୍ଥାରେ ଶିକ୍ଷକ ବିଶାଳ ଓ ନୋଏଡାର ଏକ ଆଇଟି କଂପାନୀରେ ଏଚଆର ଟିମରେ କାର୍ଯ୍ୟରତ ନିଶାଙ୍କ ମଧ୍ୟରେ ୪ ବର୍ଷ ତଳେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉଭୟ ଗାଜିଆବାଦରେ ରହୁଥିଲେ । କିଛି ଦିନ ତଳେ ଉଭୟ ପରିବାର ଲୋକେ ବିବାହକୁ ସ୍ୱୀକୃତି ଦେଇଥିଲେ । ଏହା ପରେ ଗତ ଜୁନ  29 ତାରିଖରେ କୋଭିଡ-19 କଟକଣା ଅନୁସାରେ ବିବାହ ଆୟୋଜନ ହୋଇଥିଲା । କିନ୍ତୁ ମାତ୍ର ଚାରି ଦିନ ପରେ ଏହି ଦମ୍ପତି ଏପରି ଭାବରେ ନିଷ୍ଠୁର ପଦକ୍ଷେପ ନେଇ ସମସ୍ତଙ୍କୁ ହତଚକିତ କରିଛନ୍ତି ।

ପରିବାର ଲୋକଙ୍କ କହିବା ଅନୁସାରେ ପରିବାର ଲୋକଙ୍କ କହିବା ଅନୁସାରେ ବିବାହର ଚାରି ଦିନ ପରେ ବିଶାଳଙ୍କ ମୃତଦେହ ରେଳଲାଇନରୁ ଉଦ୍ଧାର କରାଯାଇଥିବାବେଳେ ନିଶାଙ୍କ ମୃତଦେହକୁ ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁହେଁ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ତେବେ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ୍‌ର ତଦନ୍ତ ପରେ ଏହି ଆତ୍ମହତ୍ୟାର ପ୍ରକୃତ ରହସ୍ୟ ପଦାକୁ ଆସିପାରିବ ।

Related posts