ଜାତୀୟ ରାଜପଥରେ କୁରୁକୁରୀ ଟ୍ରକ ଲୁଟ ଘଟଣାରେ ତିନି ଗିରଫ

Published: Aug 1, 2020, 1:40 pm IST

ନିରାକାରପୁର: ୧୬ ନମ୍ବର ଜାତୀୟ ରାଜପଥରୁ ଏକ ଟ୍ରକ୍‌ ଲୁଟ୍‌ ଘଟଣାରେ ପୋଲିସ୍‌ ତିନି ଅପରାଧୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ  ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଏକ କୁରୁକୁରୀ ବୋଝେଇ ଟ୍ରକକୁ ଲୁଟେରା ମାନେ ବଳପୂର୍ବକ ଲୁଟକରି ନେଇ ପଳାଇ ଯାଇଥିଲେ। ଲୁଟେରା ମାନେ ଏକ ବୋଲେରୋ ଗାଡିରେ ଆସି ଡ୍ରାଇଭର ଓ ହେଲପରକୁ କାବୁକରି ଟ୍ରକକୁ ନେଇ ପଳାଇଥିଲେ ନୟାଗଡ଼ ପାଖ ଏକ ଜଂଗଲରେ ଡ୍ରାଇଭର ଓ ହେଲପରକୁ ଛାଡିଦେଇଥିଲେ। ଟ୍ରକ ଡ୍ରାଇଭର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା।

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତିନି ଜଣ ଲୁଟେରାକୁ ଜଗତପୁରରୁ ଗିରଫ କରି ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଛି।

ଡକାୟତ ମାନେ ଟ୍ରକରୁ କୁରୁକୁରୀ ଗୁଡିକ ଜଗତପୁରରେ ବିକ୍ରୀ କରି ଟ୍ରକଟିକୁ ଜଟଣୀ ଥାନା ଗଗଂପଡା ଟୋଲଗେଟ ନିକଟରେ ଥୋଇ ପଳାଇଥିଲେ। ଗିରଫ ଡକାୟତ ମାନେ ହେଲେ କଟକ ଲକ୍ଷ୍ମୀ ନାରାୟଣପୁରର ନନ୍ଦ ସାହୁ,ମାନସ ରଂଜନ ଗିରି ଓ ସୁରେନ୍ଦ୍ର ଦାଶ। ସମସ୍ତ ଡକାୟତଙ୍କୁ ପୋଲିସ୍‌ ଗିରଫ କରି  କୋର୍ଟ ଚାଲାଣ କରିଛି।

Related posts