ଝଟ୍‌କା ଦେଲା ବିଜୁଳି ବିଲ୍‌ : ଗୋଟିଏ ମାସର ବିଜୁଳି ବିଲ୍‌ ଦେଖି ଆତ୍ମହତ୍ୟା କଲେ ବ୍ୟକ୍ତି

Published: Aug 12, 2020, 4:31 pm IST

ନାଗପୁର : ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାଗପୁର ଅଞ୍ଚଳର 57 ବର୍ଷୀୟ ଜଣେ ବ୍ୟକ୍ତି ବିଜୁଳି ବିଲ୍‌ ପାଇଁ ଆତ୍ମହତ୍ୟା କରିଥିବାର ସୂଚନା ରହିଛି ।

ପୋଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଶୋଧାରା ଅଞ୍ଚଳରୁ 57 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ଲୀଲାଧର ଲକ୍ଷ୍ମଣ ବୋଲି ସୂଚନା ରହିଛି । ପରିବାର ଲୋକଙ୍କ ମତରେ ଗୋଟିଏ ମାସର ଘରର ବିଜୁଳି ବିଲ୍‌ 40 ହଜାର ଟଙ୍କା ଆସିଥିବାବେଳେ ଏହାକୁ ଦେଖି ମୃତକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଥିଲେ ଓ ଏହାପରେ ସେ ଆତ୍ମହତ୍ୟା କରିଥିଲେ । ସେହିପରି ଯଶୋଧାରା ପୋଲିସ୍‌ ଥାନାଧିକାରୀଙ୍କ ମତରେ ବର୍ଦ୍ଧିତ ବିଜୁଳି ବିଲ୍‌ ଦେଖି ଅତ୍ୟଧିକ ଚିନ୍ତାରେ ଲୀଲାଧର ଅଧିକ ମାତ୍ରାରେ ମଦ ପିଇବା ଆରମ୍ଭ କରି ଦେଇଥିଲେ ।

ଶନିବାର ଦିନ ଲୀଲାଧର ନିଜ ଉପରେ କିରୋସିନ ତେଲ ପକାଇ ନିଆଁ ଲଗାଇ ଦେଇଛନ୍ତି । ପରିବାର ଲୋକେ ତୁରନ୍ତ ହସ୍ପିଟାଲ ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଲୀଲାଧରଙ୍କ ଘରୁ କୌଣସି ସୁଇସାଇଟ୍‌ ନୋଟ୍‌ ଜବତ ହୋଇନଥିବାବେଳେ ପୋଲିସ୍‌ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । (ଏଜେନ୍ସି)

Related posts