
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜନୈକ କୃଷକ ନେତାଙ୍କୁ ମରଣନ୍ତକ ଆକ୍ରମଣ ହୋଇଛି। ଲଙ୍କାଗୁଣ୍ଡ ଫିଙ୍ଗି ତାଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରାଯିବାରୁ ଯେ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସାଧୀନ ଅଛନ୍ତି।
ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ନିକଟରେ କୃଷକ ନେତା ଲୋକନାଥ ଦଳେଇ ଓରଫ୍ ଟୁଟୁ ଅଟୋନଗର ମଧ୍ୟରେ ଏକ ଲୁହା ଦୋକାନରୁ ଲୁହା କିଣି ନିଜ କାର୍ ନିକଟକୁ ଆସୁଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଚାରିଜଣ ଯୁବକ ପ୍ରଥମେ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ କରିଥିଲେ। ଲୋକନାଥଙ୍କ ପାଟି ଶୁଣି ଘଟଣା ସ୍ଥଳରେ କିଛି ଲୋକ ପହଞ୍ଚି ଯିବାରୁ ଯୁବକ ମାନେ ପୂର୍ବରୁ ଆଣିଥିବା ବାଇକ୍ ଯୋଗେ ଚମ୍ପଟ ମାରିଥିଲେ। ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ଲୋକନାଥଙ୍କ ବାମଜଂଘ ଏବଂ ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବଡ଼ମେଡ଼ିକାଲ୍କୁ ନେଇଥିଲେ।
ଘଟଣାସ୍ଥଳରେ ସଦର ଏସ୍ଡ଼ିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସି.ସି. ଟିଭି ଫୁଟେଜ୍କୁ ମଧ୍ୟ ତଦନ୍ତ କରାଯାଉଛି। ଲୋକନାଥଙ୍କୁ ଏହା ପୂର୍ବରୁ ମଧ୍ୟ ଆକ୍ରମଣ ଉଦ୍ୟମ ହୋଇଥିବାବେଳେ ସେ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଥିଲେ। ଏଥିପୂର୍ବରୁ ଏହି ଅଂଚଳରେ ବିଜେପି ଗଂଜାମ ଜିଲ୍ଲା ସଭାପତି ବିଭୂତି ଜେନାଙ୍କୁ ମଧ୍ୟ କିଛି ଯୁବକ ଆକ୍ରମଣ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ୍ର ହାତଖାଲି।