Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିତ୍ତ ଜେନା, ଓଡିଆ ଆତ୍ମାର ଅନ୍ତିମ ଗାୟକ
ବିଶେଷ ଖବର

ଚିତ୍ତ ଜେନା, ଓଡିଆ ଆତ୍ମାର ଅନ୍ତିମ ଗାୟକ

November 13, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କିଛି ଗାୟକ ଗୀତ ଅଭ୍ୟାସ କରନ୍ତି ଆଉ ଗାଆନ୍ତି। ଆଉ କିଛି ଗାୟକଙ୍କୁ ଗୀତ ନିଜ ପାଇଁ ବାଛେ। ଆପେ ଆପେ ଗୀତ ଉତୁରି ଆସେ କଣ୍ଠକୁ। ସେଠି ଅଭ୍ୟାସ ନଥାଏ, ଉଦ୍ୟମ ନଥାଏ, ଥାଏ କେବଳ ସହଜ ଓ ସ୍ଵାଭାବିକ ସ୍ଵର ପ୍ରବାହ। ଚିତ୍ତ ଜେନା, ସହଜ ଓ ସ୍ଵାଭାବିକ ଶିଳ୍ପୀ। ସେ ଜନ୍ମରୁ ଗାୟକ। ତାଙ୍କ ଗଳାଟି କେବଳ ଗୀତର କଳା ପାଇଁ ଗଢା ହୋଇଥିଲା। ଓଡିଆ ଲୋକପ୍ରିୟ ଗୀତର ପରମ୍ପରାରେ ସେ ଅନ୍ୟତମ ମହାନାୟକ। କେତେ ଯେ ଗୀତ ତାଙ୍କର ଲୋକପ୍ରିୟତାର ଶୀର୍ଷକୁ ଯାଇଛି, ତାହାର ହିସାବ ଦେଇ ହେବନାହିଁ। ଅସୁମାରୀ ମଧୁର ଗୀତର ମହାନାୟକ ଚିତ୍ତ ଜେନା ଆଜି ଚାଲି ଯାଇଛନ୍ତି। ଅବଶ୍ୟ ସେ ଯିବେ କୁଆଡେ? ଗୀତ ଥିବା ଯାଏ ଚିତ୍ତ ରହିବେ। ମରଣ କ’ଣ ଶିଳ୍ପୀ କୁ ମାରିପାରେ!

ଖିୟାଲି ମନର ମହାରାଜା

ଚିତ୍ତ ଜେନା, ଗୋଟେ ବେଫିକର ମଣିଷ। ଶିଳ୍ପୀର ଅହଂକାର କି ଗାୟକର ଗୌରବ ବାହାରେ ସେ ଗୋଟେ ବାଟବଣା ବାଟୋଇ। ଜନ୍ମ ହୋଇଥିଲେ ବ୍ୟବସାୟୀ ପରିବାରରେ । ପଇସାବାଲା ଘରର ପିଲା। ବାପା ଚାହୁଁଥିଲେ, ପୁଅ ବ୍ୟବସାୟ କରୁ। ପଇସା ଯୋଡୁ। ପୁଅ କିନ୍ତୁ ଗୀତ ଗାଇଲେ। ଏମିତି ଗୁଣୁ ଗୁଣୁ ଗୀତ। ହାର୍ମୋନିୟମ ଧରି ସାରେଗାମା ଶିଖି ନଥିଲେ। ବାସ, କଟକର କାଠଯୋଡ଼ି ଯେମିତି ଗାଏ, ସୁଲୁସୁଲିଆ ପବନ ଯେମିତି ଗାଏ, ଯେମିତି କୋଇଲି କି କାଠହଣା ଚଢେଇ, ଚିତ୍ତଙ୍କ ଗୀତ ସେମିତି।

ତାଙ୍କ କଣ୍ଠରେ ଗୋଟେ ଯାଦୁ ଥିଲା। ସେଥିପାଇଁ ଚିତ୍ତ ଜେନାଙ୍କ ବନ୍ଧୁ  ପ୍ରଫୁଲ୍ଲ କର କହନ୍ତି- “ତା ଗଳା ଟି ଏତେ ମିଠା ଯେ, ସେ ତଳେ ଶୋଇଲେ ମୋତେ ଲାଗେ ତା ଗଳାରେ ପିମ୍ପୁଡି ଲାଗିଯିବେ”। ଅପୂର୍ବ ଭାବରେ ମଧୁର ଓ ମାଦକ ତାଙ୍କର ଗଳା। ଗୀତ ଗାଇବାକୁ ଗଲେ କଟକ ରେଡ଼ିଓ ଷ୍ଟେସନ। ସୁଯୋଗ ମିଳିଗଲା। ସେଠି ପ୍ରଯୋଜକ ଥାନ୍ତି ପଣ୍ଡିତ ଭୁବନେଶ୍ୱର ମିଶ୍ର। ଚିତ୍ତ ଜେନାଙ୍କୁ ସେ ଶିଖେଇଲେ ଗୀତ ଗାଇବାର ଛୋଟ ଛୋଟ କୌଶଳ। ବାପା କହୁଥିଲେ, “ନାରେ ନାରେ ହ’ ନା”। ଚିତ୍ତ କିନ୍ତୁ ଗୀତର ପ୍ରେମରେ ପଡିଲେ ଓ ଗାୟକ ହେଲେ।

ଓଡିଆ ଆତ୍ମାର ଗାୟକ

ଆଜି ସକାଳୁ ଯେତେବେଳେ ଶୁଣିଲି, ଚିତ୍ତ ଜେନା ଚାଲିଗଲେ, ମୋର ପ୍ରଥମ ଚିନ୍ତା ଥିଲା, ୟା ପରେ ଓଡିଆ ଗୀତରେ ଓଡିଆ ଭାଷାର କଣ ହେବ! ଚିତ୍ତ ଜେନା ଓଡିଆ ଶବ୍ଦର ଭାବକୁ ଏତେ ସ୍ପଷ୍ଟ, ଶୁଦ୍ଧ ଓ ଭାବମୟ ଭାବରେ ଉଚ୍ଚାରଣ କରନ୍ତି, ଯେଉଁଥିରେ ଶବ୍ଦ ତାର ସବୁ ପ୍ରକାର ସୌନ୍ଦର୍ଯ୍ୟ ପ୍ରକଟିତ କରିପାରେ। ସେ ପ୍ରଜନ୍ମଇ ସେଇଆ। ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ପ୍ରଫୁଲ୍ଲ କର ଓ ଚିତ୍ତ ଜେନା। ଷାଠିଏ ଦଶକର ଏଇ ପାଞ୍ଚଜଣ ଶିଳ୍ପୀ ଆମ ଗୀତର ପାଞ୍ଚ ନାୟକ। ତେବେ ଶବ୍ଦ ଉଚ୍ଚାରଣରେ ସିକନ୍ଦର ଓ ଚିତ୍ତଙ୍କ ଠାଣି ନିଆରା। ଚିତ୍ତ ଜେନାଙ୍କ ପ୍ରସିଦ୍ଧ ଗୀତ- ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ରେ ଗୋଟେ ଧାଡି ଅଛି। “ଜାଣେ ନା ସେ ଫୁଲ ଗନ୍ଧେ ମୁଁ ଆଜି ବିଭୋର” –  ବିଭୋର ଶବ୍ଦଟି ଆପଣ ଆଉ କେଉଁ ଗୀତରେ ହୁଏତ  ଶୁଣି ଥାଇପାରନ୍ତି, ହେଲେ ଚିତ୍ତଙ୍କ ଉଚ୍ଚାରଣର ଉତ୍ତେଜନା ଓ ବିଭୋରପଣ ଆଉ କାହା ପାଖରେ ନାଇଁ। ସେମିତି ପ୍ରିୟା ଶବ୍ଦ ବୋଧେ କେବଳ ଚିତ୍ତ ଜେନାଙ୍କ ପାଇଁ ତିଆରି ହୋଇଥିଲା। ତାଙ୍କ କଣ୍ଠରେ ପ୍ରିୟା ଯେମିତି ଶ୍ରୋତାର ଛାତି ଭିତରକୁ ପ୍ରେମର ଦେଉଳ କରିଦିଏ। ପ୍ରିୟା ଶବ୍ଦ କେବଳ ତାଙ୍କର ଟ୍ରେଡ୍ ମାର୍କ। ତାପରେ ସେ ଶବ୍ଦ କୁ ନେଇ ଯିଏ ବି ଗାଇଛି, ସେ ଚିତ୍ତ ଜେନା ଆଗରେ ଫିକା। କେତେ କେତେ ମନ ଛୁଆଁ ଗୀତ ସେ ଗାଇଛନ୍ତି। ରୂପ ହୋଇଥିବ ଲାବଣ୍ୟବତୀ… ଏ ପରବତ କୁଞ୍ଚି କୁଞ୍ଚିକା… ପ୍ରିୟା ବିନା ଝୁରେ ଖାଲି… କାହିଁ ଗଲେ ଶ୍ୟାମଘନ… ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ… ଦେଖି ସେ ବଣମଲ୍ଲି… ମାଣିକ ଏ ମୋର ମାଣିକ… ଗୀତର ତାଲିକା ବହୁତ ଲମ୍ବ। ।

ଉଦାସୀନତାର ଉତ୍ସବ

ପ୍ରେମ, ବିରହ ଓ ବିଷାଦ- ଏ ତିନୋଟି ଭାବ ତାଙ୍କ ଗୀତର ମୌଳିକ ଆଧାର । ପ୍ରେମର ଗାୟକ ଭାବରେ ତାଙ୍କୁ ତାଙ୍କ ଗଳାର ସହଜ ଗତି ବେଶ ସହାୟକ ହେଉଥିଲା। ହେଲେ ବିଷାଦ ଗୀତକୁ ନେଇ ଗୋଟେ ଉଚ୍ଛ୍ଵାସ ଯେ ନିର୍ମାଣ କରାଯାଇପାରେ ଏ କଥା ଆମେ କେବଳ ଚିତ୍ତ ଜେନାଙ୍କ ପାଖରେ ପାଇଛୁ। ହରିହର ମିଶ୍ରଙ୍କ ପ୍ରସିଦ୍ଧ ଗୀତ “ଢାଳି ଦିଅ ସାରା ଧରଣୀରେ ଆଜି ତୁମରି ଆଲୋକ ଧାରା” ରେ ଚିତ୍ତ ଜେନାଙ୍କ ଉଦାତ୍ତ ସ୍ଵର ଆମକୁ ମଣିଷ ହେବାର ବାଟ ଦେଖାଇଦିଏ। ସେମିତି “ବିଲ୍ଵ ମଙ୍ଗଳ” ସିନେମାରେ ସେ ଗାଇଥିବା ମନବୋଧ ଚଉତିଶାର ପଦ… “କହଇ  ମନ ଆରେ ମୋ ବୋଲ କର…” ଏଠି ସନ୍ୟାସ, ଉଦାସୀନତା ଓ ଅନାସକ୍ତିର ଗୋଟେ ବିଚିତ୍ର ମିଶ୍ରଣ। “ଦେଖି ସେ ବଣମଲ୍ଲୀ…” ଗୀତରେ ଶବ୍ଦ, ପଦ ଓ ପଦ ଭିତରେ ରହିଥିବା ନୀରବତାକୁ ସେ ଏମିତି ଗାଇଛନ୍ତି, ଯେମିତି ସେ ଗୀତ ନୁହେଁ, କେବଳ ଧାରେ ବ୍ୟାକୁଳତା। ପ୍ରଫୁଲ୍ଲ କର ଓ ଚିତ୍ତ ଜେନାଙ୍କ ଯୋଡ଼ି ଓଡିଆ ଗୀତର ପରମ୍ପରାରେ ଏମିତି କିଛି କୁହୁକ କରିଛନ୍ତି, ଯାହାର ଆବିଷ୍କାର ଏଯାଏ ପୂର୍ଣ୍ଣାଙ୍ଗ ନୁହେଁ।

୨୪ ଡିସେମ୍ବର ୧୯୪୧ ରୁ ୧୨ ନଭେମ୍ବର ୨୦୧୮, ଚିତ୍ତ ଜେନାଙ୍କ ଆୟୁଷ ସେତିକି। ହେଲେ ସେ ମହାକାଳର ଗାୟକ। ତାଙ୍କର ମୃତ୍ୟୁ ନାହିଁ। କେବଳ ଦୁଃଖ ଏତିକି ଯେ, ତାଙ୍କ କଣ୍ଠରେ ଆଜି ଓଡିଆ ଭାଷାର ଯାଦୁକରୀ ଶୁଦ୍ଧତା ସବୁଦିନ ଲାଗି ଶୋଇପଡିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026
Latest News

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.